ବିଧାନସଭାର ଦ୍ୱିତୀୟ ଦିନରେ କେବଳ ଶୁଭିଲା ହୋହଲ୍ଲା ! ହୋଇପାରିଲାନି ଆଲୋଚନା

24

କନକ ବ୍ୟୁରୋ : ଶୀତ ଅଧିବେଶନ, ହେଲେ ଗୃହରେ ତାତି । ପ୍ରବଳ ହଟ୍ଟଗୋଳ ଏବଂ ହଙ୍ଗାମା ଭିତରେ ଦୁଇ ଦିନ ହେଲା ଠପ୍ ହୋଇଯାଇଛି ଗୃହକାର୍ଯ୍ୟ । ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନୈତିକ ଦଳ ଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ଏହି ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଆଉ ପରସ୍ପର ଉପରେ ଦୋଷାରୋପ କରି ଖସି ଯିବାକୁ ଉଦ୍ୟମ କରୁଛନ୍ତି । ଆଉ ଏସବୁ ଭିତରେ ଗୌଣ ହୋଇଯାଉଛି ଚାଷୀ ପ୍ରସଙ୍ଗ ଏବଂ ମୁଖ୍ୟପ୍ରସଙ୍ଗ ପାଲଟିଛି ରାଜନୀତି ।

assembly ରାଜରାସ୍ତାରେ ଚାଷୀଙ୍କ ପାଇଁ ଦରଦ ଦେଖାଉଥିବା ରାଜନୈତିକ ଦଳଗୁଡ଼ିକର ଅସଲ ଚେହେରା ଜଳ ଜଳ ଦେଖାଯାଉଛି । ଜନତାଙ୍କ ସ୍ୱର ଉଠାଇବା ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିବା, ଜନପ୍ରତିଧିନି ମାନେ ଲୋକଙ୍କ ସୁଖ ସୁବିଧାକୁ ଅଣଦେଖା କରି କେବଳ ରାଜନୀତିରେ ମାତୁଛନ୍ତି । ଗୃହ ମଝିରେ ହଟ୍ଟଗୋଳ, ବ୍ୟାନର ଦେଖାଇ ପ୍ରତିବାଦ, ଆଉ ମନ ବୁଝିଲାନି ଯେ, ଶେଷରେ ଗୃହ ପରିତ୍ୟାଗ କରିଦେଲେ ବିରୋଧୀ ଦଳ ସଦସ୍ୟା । ଆଉ ସରକାରରେ ଥିବା ସଦସ୍ୟମାନେ, ଯେଉଁମାନେ ଚାଷୀଙ୍କ ସହ ଅଛୁ ବୋଲି ବଡ ବଡ ଭାଷଣ ମାରୁଛନ୍ତି, ସେମାନେ ବି ଗୃହକୁ ପରିଚାଳନା ପାଇଁ ଉଦ୍ୟମ କଲା ଭଳି କୌଣସି ଲକ୍ଷଣ ଦେଖାଯାଉନାହିଁ । ଯାହା ଫଳରେ ଦୁଇ ଦିନ ହେଲା ବିଧାନସଭା ସ୍ୱାଭାବିକ୍ ଚାଲିପାରୁନାହିଁ ।

ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ, ହେଲେ ଆଲୋଚନା ପାଇଁ ବାଚସ୍ପତି ସମୟ ଦେଉନାହାଁନ୍ତି ବୋଲି କଂଗ୍ରେସ ଅଭିଯୋଗ କରୁଥିବା ବେଳେ ବିଜେପି କହୁଛି ଚାଷୀଙ୍କ ପାଇଁ ସରକାରଙ୍କ ଦରଦ ନାହିଁ । ଆଉ ଏପଟେ ଯେଉଁଠି ଆଲୋଚନା କରିବା କଥା ସେଠି ଆଲୋଚନା ନକରି ବିଧାନସଭାରୁ ରାଜଭଜନକୁ ଶୋଭାଯାତ୍ରାରେ ବାହାରି ଯାଇଛି ବିଜେଡି । ଧାନର ସହାୟକ ମୂଲ୍ୟକୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦିଆଯାଇଛି ସ୍ମାରକପତ୍ର । ଆଉ ଏସବୁ ଭିତରେ ଆସିଛି ବିଜେଡିର ବୟାନମାଷ୍ଟର କୁହାଯାଉଥିବା କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ମନ୍ତବ୍ୟ । ଯିଏ ଚାଷୀ ଆତ୍ମହତ୍ୟାକୁ ଫସଲହାନୀ ଜନିତ ନୁହେଁ ବୋଲି କହିଛନ୍ତି । ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ରଖିଥିବା ଏହି ବୟାନ ପୁଣି ଥରେ ଚାଷୀଙ୍କ ସମସ୍ୟା ନେଇ ସରକାର ମନୋଭାବଙ୍କୁ ପ୍ରଶ୍ନ ଘେରକୁ ଟାଣି ନେଇଛି ।