କନକ ବ୍ୟୁରୋ : ଧୀରେ ଧୀରେ ବଢ଼ିଲାଣି ଥଣ୍ଡା । ସାରା ରାଜ୍ୟରେ ଶୀତର ଅନୁଭୂତ ହେଲାଣି । ଗତ କିଛି ଦିନ ହେଲା ରାଜଧାନୀରେ ଅନୁଭୂତ ହେଲାଣି ଶୀତ । ଥଣ୍ଡା ଯୋଗୁଁ ଖୋଜା ପଡ଼ିଲାଣି ଗରମ ପୋଷାକ । ଆଉ ବ୍ୟବସାୟୀମାନେ ନିଜ ଶୀତବସ୍ତ୍ରର ପସରା ମେଲି ଗ୍ରାହକଙ୍କୁ ଅପେକ୍ଷା କଲେଣି । ଏଥିପାଇଁ ରାଜଧାନୀର ପ୍ରତ୍ୟେକ ପ୍ରମୁଖ ଛକରେ ରଙ୍ଗବେରଙ୍ଗର ଶୀତବସ୍ତ୍ର ସଜା ହୋଇ ସାରିଲାଣି । ଶୀତକୁ ସ୍ୱାଗତ ପାଇଁ ରାଜଧାନୀ ବଜାରରେ ସ୍ୱେଟର, ଜାକେଟ୍, କ୍ୟାପ୍, ଗ୍ଲୋଭ୍ସ୍, ଶାଲ୍, କମ୍ବଳ ଓ ମୋଜା ଆଦିର ପସରା ନେଇ ସମସ୍ତେ ପ୍ରସ୍ତୁତ । ରାଜଧାନୀବାସୀଙ୍କ ଫ୍ୟାସନ୍କୁ ନଜରରେ ରଖି ଚଳିତ ବର୍ଷ ମାର୍କେଟକୁ ଆସିଛି ଲେଦର ଜାକେଟ୍, ଉଲେନ୍ ସ୍ୱେଟର୍, ହାଫ୍ ଜାକେଟ୍, ହାଇନେକ୍ ଜାକେଟ୍, ବିଭିନ୍ନ ପ୍ରକାର କ୍ୟାପ୍, ସ୍କାର୍ଫ ଆଦି ।
ଏଫ୍ବିବି ବିଗ୍ ବଜାରର ବଳରାମ ଦଳାଇ କହନ୍ତି, ଭୁବନେଶ୍ୱରରେ ଶୀତର ମାତ୍ରା ଏତେଟା ଅଧିକ ନଥିବାରୁ ମହିଳାମାନେ ବିଶେଷ କରି ଉଲେନ୍ ଜାକେଟ୍ ଅପେକ୍ଷା କଟନ୍ ଜାକେଟ୍ ଅଧିକ ପସନ୍ଦ କରନ୍ତି । ସେହିପରି ଶରୀରକୁ ଲାଗିରହୁଥିବା ଫିଟିଙ୍ଗ୍ ଉଲେନ୍ ସ୍ୱେଟର୍ କଲେଜ୍ ପଢ଼ୁଆ ଜିନ୍ସ୍ ପିନ୍ଧା ଝିଅଙ୍କ ପସନ୍ଦ ପାଲଟିଛି । ସ୍ୱେଟର ସବୁର ଦାମ୍ ୧୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଜାକେଟ୍ ସବୁ ୧୨୦୦ରୁ ଆରମ୍ଭ ହୋଇ ୨୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ପୁରୁଷମାନେ ଅଧିକ ଲେଦର ଜାକେଟ୍ ପସନ୍ଦ କରୁଥିବା ସେ କହିଛନ୍ତି । ସେହିପରି ପାର୍ଟିରେ ଯୋଗ ଦେବା ସମୟରେ ମହିଳା ମାନଙ୍କ ପିନ୍ଧିବା ପାଇଁ ବିଭିନ୍ନ ରକମର ଷ୍ଟୋନ୍, ଚୁମ୍କି ଖଚିତ ସ୍କାର୍ଫ ସହ ରହିଛି ଓ୍ଵିଣ୍ଟର୍ ସ୍ରଗ । ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଟୁନ, ଟେଡ୍ଡି ଆଦି ଚିତ୍ରିତ ସ୍ୱେଟର ସହ କ୍ୟାପ୍ ମଧ୍ୟ ରହିଛି । ଏହାସବୁ ରାଜଧାନୀକୁ ନେପାଳ, ହରିଆନା, ଲୁଧିଆନା ଓ ପଞ୍ଜାବ ଆଦିରୁ ଶୀତ ବସ୍ତ୍ର ଆସି ବିକ୍ରିବଟା ବି ଆରମ୍ଭ ହେଲାଣି ।