ସ୍ୱାଭିମାନ ଅଞ୍ଚଳ ଉପରେ ଆନ୍ଧ୍ରର ନଜର : ବୁଡି ଅଞ୍ଚଳରେ ବଣ୍ଟାଗଲା ରିଲିଫ, ପ୍ରଜାମେଳିରେ ଆନ୍ଧ୍ରରେ ମିଶିବାକୁ ଖୋଲା ଚେତାବନୀ

130

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳ ଉପରେ ଆନ୍ଧ୍ରର ନଜର । ବୁଡି ଅଂଚଳରେ ରିଲିଫ ବାଂଟିିଲା ଆନ୍ଧ୍ରର । ଆଉ ହାତରେ ପାରମ୍ପାରିକ ଆସ୍ତ୍ର ଶସ୍ତ୍ର ଏବଂ ଲାଲ ସଲାମ ନାରାରେ କମ୍ପି ଉଠିଲା ବୁଡି ଅଂଚଳ । ସ୍ୱାଭିମାନ ଅଂଚଳସ୍ଥିତ ଓରାପଦର ଠାରେ ଗତକାଲି ଏକ ବିରାଟ ପ୍ରଜାମେଳି ର ଆୟୋଜନ କରାଯାଇଥିଲା । ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଗର୍ଜିଥିଲେ ୫ ଟି ଗ୍ରାମ ପଂଚାୟତର ହଜାର ହଜାର ଲୋକ ।

ବାଲିମେଳା ଜଳ ଭଣ୍ଡାର ର ଜଳ ସ୍ତର ବୃଦ୍ଧି ପାଇ ହେକ୍ଟର ହେକ୍ଟର ଧାନ, ବିରି, ମୁଗ ଆଦି ଫସଲ ନଷ୍ଟ ହୋଇ ଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି । ବୁଲବୁଲ, ହୁଡହୁଡ, ତିତଲି ସମୟ ରେ ରାଜ୍ୟ ରେ ବିଭିନ୍ନ ସ୍ଥାନରେ ରିଲିଫ ବଂଟା ଯାଇ ଥିଲେ ହେଁ ସ୍ୱାଭିମାନ ଅଂଚଳବାସୀଙ୍କୁ ଅଣଦେଖା କରା ଯାଇ ଥିବା ଅଭିଯୋଗ ହୋଇଛି । ତେଣୁ ଆନ୍ଦ୍ରପକ୍ଷରୁ ୨୦୦ ବସ୍ତା ରୁ ଉର୍ଧ ଧାନ, ଚାଉଳ, ସୁଆଁ, ମୁଗ ବଂଟନ କରା ଯାଇଛି ।

ଆନ୍ଧ୍ରର କିଛି ଜନ ପ୍ରତିନିଧୀ ଓ ପ୍ରଛଦ ପଟରେ ଥାଇ କିଛି ଅଧିକାରୀ ସ୍ୱାଭିମାନ ଅଂଚଳ ବାସୀଙ୍କୁ ଏହି ରିଲିଫ ବାଂଟି ଥିବା ଜଣା ପଡିଛି । ଆଉ ଏହି ପ୍ରଜାମେଳିରେ ଖୁଲମ ଖୁଲା ମାଓବାଦୀ ଓ ଲାଲ ସଲାମର ନାରାବାଜୀ ଦେଖିବାକୁ ମିଳିଥିଲା । ଏଥି ସହ ଶିକ୍ଷା ସ୍ୱାସ୍ଥ୍ୟ ପରି ମୌଳିକ ସମସ୍ୟାର ସମାଧାନ ଲାଗି ଦାବୀ ଦୋହରାଇଛନ୍ତି ସ୍ୱାଭିମାନ ଅଂଚଳବାସୀ ।