ଇଭିଏମ ଭାଙ୍ଗି ଫେରାର ଥିବା ପ୍ରାର୍ଥୀଙ୍କୁ ନେଇ ବିଜେଡ଼ିର ପ୍ରଶ୍ନ ! ଓଡ଼ିଶା ବାହାରକୁ ପଳାୟନ ପାଇଁ ଓମ ପ୍ରକାଶ ମିଶ୍ରଙ୍କୁ ସାହାଯ୍ୟ କଲା କିଏ ?

1,300

କନକ ବ୍ୟୁରୋ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଇଭିଏମ ଭାଙ୍ଗି ଫେରାର ଥିବା ବିଜେପି ପ୍ରାର୍ଥୀ ଫେରାର ହେଲେ କିପରି ? ଓଡ଼ିଶାରୁ ଫେରାର ହେବା ପାଇଁ ତାଙ୍କୁ କିଏ ସାହାଯ୍ୟ କଲା ? ଫେରାର ବିଜେପି ପ୍ରାର୍ଥୀଙ୍କ ପାଇଁ ଟିକେଟ ବୁକିଂ କଲା କିଏ ? ପ୍ରେସମିଟ୍ ଜରିଆରେ ଏପରି ଅନେକ ପ୍ରଶ୍ନ ଉଠାଇଛି ବିଜେଡ଼ି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଏପରି ବ୍ୟବହାର ଓଡ଼ିଶା ରାଜନୀତି ପାଇଁ ନିହାତି ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡ଼ି ।

ବିଜେଡ଼ି ପ୍ରଶ୍ନ କରିଛି, ଅଭିଯୁକ୍ତ ଓମ ପ୍ରକାଶ ମିଶ୍ର ଏବେ କେଉଁଠି ? ଜାତୀୟ ଦଳର ପ୍ରାର୍ଥୀ ଏପରି କାଣ୍ଡ କରି ସାରିବା ପରେ ବିଜେପି କର୍ମକର୍ତ୍ତାମାନେ ତଦନ୍ତରେ ସହଯୋଗ କରୁନଥିବା ବିଜେଡ଼ି ଅଭିଯୋଗ କରିଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଓଡ଼ିଶା ବାହାରକୁ ପଳାୟନ ପାଇଁ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ଟିକେଟ କିପରି ବୁକ୍ କରାଗଲା ?

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଦଳ ଆଉ ଅନେକ ନିର୍ବାଚନୀ ହିଂସା ଘଟାଇଥିବା କଥା ପ୍ରେସମିଟ୍ ଜରିଆରେ କହିଛି ବିଜେଡ଼ି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ବିଜେପି କର୍ମୀ ବିଜେଡ଼ି କର୍ମୀଙ୍କୁ ଆକ୍ରମଣ କରିଥିଲେ । ସେ ଏବେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ବିଜେଡ଼ି କର୍ମୀଙ୍କୁ ଆକ୍ରମଣ କରିବା ସହ ଏହି ନିର୍ବାଚନ ମଣ୍ଡଳୀରେ ଆଉ ଜଣେ ବିଜେପି କର୍ମୀ ଇଭିଏମ ଭାଙ୍ଗିଥିଲେ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ପରାଜୟ ଭୟରେ ଏପରି କାଣ୍ଡ ଘଟାଉଛି । ହାରିବାର ଭୟ ଯୋଗୁଁ ବିଜେପି ପ୍ରାର୍ଥୀମାନେ ହିଂସା ରାସ୍ତାକୁ ଆପଣାଉଛନ୍ତି । ପରାଜୟ ଭୟ ତାଙ୍କର ମତିଭ୍ରମ କଲାଣି ।

ସୂଚନାଯୋଗ୍ୟ ମଙ୍ଗଳବାର ଦିନ ମତଦାନ ବେଳେ କଣାସ ବ୍ଲକ୍ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥ ଭିତରେ ନିଜ ସମର୍ଥକଙ୍କ ସହ ଓମପ୍ରକାଶ ଧସେଇ ପସି ପ୍ରିଜାଇଣ୍ଡିଂ ଅଫିସରଙ୍କୁ ମାଡ ମାରିବା ସହ ଇଭିଏମ ଭାଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଓଡ଼ିଶାର ଜନସାଧାରଣ ନିର୍ବାଚନ ହିଂସା ଯୋଗୁଁ ଏବେ ପୁରାପୁରି ସ୍ତବ୍ଧ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥିପାଇଁ ଦାୟୀ କରିଛି ବିଜେଡ଼ି । ଧର୍ମେନ୍ଦ୍ର ପ୍ରଧାନ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ରହିଛନ୍ତି । ଆଉ ସେଠାରୁ ହିଁ ଏପରି ରାଜନୈତିକ ଓ ନିର୍ବାଚନୀ ହିଂସାକୁ ଆମଦାନୀ କରିଛି ବିଜେପି । ତେବେ ବିଜେପି କର୍ମୀ ଓ ପ୍ରାର୍ଥୀଙ୍କ ଏପରି କର୍ତ୍ତୃତ୍ୱକୁ କଦାପି କ୍ଷମା କରିବେନି ଓଡ଼ିଶାର ଜନସାଧାରଣ । ଆଗାମୀ ସମୟରେ ଓଡ଼ିଶାବାସୀ ବିଜେପିକୁ ଏହାର କଡ଼ା ଜବାବ ଦେବେ ବୋଲି କହିଛି ବିଜେଡ଼ି ।