ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହେଲା ସତର୍କ ସୂଚନା

44

କନକ ବ୍ୟୁରୋ : ସମୁଦ୍ର ପତ୍ତନରେ ରହିଥିବା ମନ୍‌ସୁନ ଟ୍ରପ୍‌ର କେନ୍ଦ୍ର ବର୍ତ୍ତମାନ ଉତ୍ତରଦକ୍ଷିଣ ଦିଗରେ ହିମାଳୟର ପାଦଦେଶ ଆଡ଼କୁ ଗତି କରୁଛି । ପୂର୍ବ ବିହାର ଏବଂ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଥିବା ଉତ୍ତର-ଦକ୍ଷିଣ ଟ୍ରପ୍‌ ବର୍ତ୍ତମାନ ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବ ଓଡ଼ିଶା ଦେଇ ଅତିକ୍ରମ କରୁଥିବାରୁ ଏହାର ପ୍ରଭାବରେ ରାଜ୍ୟର ଉପକୂଳ ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ।

ଏଥିସହ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ଣ କିମ୍ବା ସନ୍ଧ୍ୟା ଆଡ଼କୁ ଘଡ଼ଘଡ଼ି ଓ ପବନ ସହ ଅସରାଏ, ଦିଅସରା ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଭୁବନେଶ୍ୱର ଓ କଟକର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ସେଲସିୟସ୍‌ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ସେଲସିୟସ୍‌ ରହିବାର ସମ୍ଭାବନା ଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସାମୁଦ୍ରିକ ଧୀବରମାନଙ୍କ ପାଇଁ ପାଣିପାଗ ଜନିତ ସେପରି କୌଣସି ବିଶେଷ ସୂଚନା ନାହିଁ ବୋଲି ଜାରି ସତର୍କ ସୂଚନାରେ କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।