ଅସ୍ତରଙ୍ଗରେ ଘରଦ୍ୱାର ଉଜାଡିଦେଲା କାଳବୈଶାଖୀ ବର୍ଷା ! ଲକ୍ଷାଧିକ ଟଙ୍କାର ପାନବରଜ ନଷ୍ଟ, ଆଜବେଷ୍ଟସ ଘରତଳୁ ଉଦ୍ଧାର ହେଲେ ପରିବାରର ୪ସଦସ୍ୟ

34

କନକ ବ୍ୟୁରୋ : ଅସ୍ତରଙ୍ଗରେ କାଳବୈଶାଖୀର ତାଣ୍ଡବ । ୧୦୦ କିଲୋମିଟରରୁ ଉଦ୍ଧ୍ୱର୍ ବେଗରେ ପବନ ବହିବା ଯୋଗୁଁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି କାକଟପୁର ବ୍ଲକ୍ । ଗତକାଲି ପ୍ରାୟ ରାତି ୧୨ଟା ବେଳେ ଆରମ୍ଭ ହୋଇଥିଲା କାଳବୈଶାଖୀ ଝଡ଼ବର୍ଷା । ପବନରେ ଲକ୍ଷାଧିକ ଟଙ୍କାର ପାନବରଜ ନଷ୍ଟ ହୋଇଥିବା ବେଳେ ଘରର ଚାଳଛପର ଉଡ଼ିଯାଇଥିଲା । ୧୦୦ ବର୍ଷ ପୁରୁଣା ବରଗଛ ମଧ୍ୟ ଏହି କାଳବୈଶାଖୀ ପ୍ରକୋପରୁ ବାଦ ପଡ଼ିନଥିଲା । ଗଛ ପଡ଼ିରହିବା ଯୋଗୁ ବିଦ୍ୟୁତ ଯୋଗାଣ ଓ ମୋବାଇଲ୍ ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ଅନ୍ୟପଟେ କୁଣ୍ଢେଇ-ଓସଦା ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଛି । ରାତିର ଏହି କାଳବୈଶାଖୀ ଯୋଗୁ ଯାତ୍ରାପାର୍ଟି ପେଣ୍ଡାଲ୍ ମଧ୍ୟ ଭାଂଗିଯାଇଥିଲା ।

ସୂଚନାଯୋଗ୍ୟ ଗତକାଲି ରାତିରୁ ବର୍ଷା ଫଳରେ ଅସହ୍ୟ ଗରମ ଓ ତାତିରୁ ମିଳିଛି ଆଶ୍ୱସ୍ତି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କାଳ ବୈଶାଖୀ ପ୍ରଭାବରେ ଉପକୂଳ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଲାଗିରହିଛି । ଆଗାମୀ ମେ ୪ରୁ ୫ ତାରିଖ ଯାଏଁ ସାରାଓଡିଶାରେ ତାତି କମିବା ସହ ଉପକୂଳ ଓଡିଶାରେ କାଳ ବୈଶାଖୀର ପ୍ରଭାର ଅନୁଭୂତ ହେବ । ଗତକାଲି ୬ଟି ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ହେଲେ ସଂଧ୍ୟା ସାଢେ ୫ଟା ସୁଦ୍ଧା ଭୁବନେଶ୍ୱରରେ ୩, ବାଲେଶ୍ୱରରେ ୨, ପାରାଦୀପରେ ଶୂନ ଦଶମିକ ୫, ଜଗତସିଂହପୁରରେ ୬ ଓ ପୁରୀରେ ସର୍ବାଧିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।