ଜଳ ପରିଚାଳନା କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ : ଆସିଲା ନୀତି ଆୟୋଗ ରିପୋର୍ଟ, ୧୪ ତମ ସ୍ଥାନକୁ ଖସିଲା ରାଜ୍ୟ

88

କନକ ବ୍ୟୁରୋ : ନୀତି ଆୟୋଗ ଦ୍ୱାରା ଜଳ ପରିଚାଳନା କ୍ଷେତ୍ରରେ ମିଳିତ ଜଳ ପରିଚାଳନା ସୂଚକାଙ୍କ ୨.୦ ରିପୋର୍ଟକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ୍ ଉନ୍ମେଚନ କରିଛନ୍ତି । ରିପୋର୍ଟର ସୂଚକାଙ୍କ ଅନୁସାରେ ଓଡ଼ିଶାରେ ଜଳ ପରିଚାଳନା ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଜଳ ପରିଚାଳନା କ୍ଷେତ୍ରରେ ଗୁଜୁରାଟ ପ୍ରଥମ ସ୍ଥାନରେ ଥିବାବେଳେ ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ଓ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ହେଲେ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି । ୨୦୧୫-୧୬ରେ ଓଡ଼ିଶା ଜଳ ପରିଚାଳନା କ୍ଷେତ୍ରରେ ନବମ ସ୍ଥାନରେ ଥିବାବେେଳେ ୨୦୧୬ -୧୭ରେ ଏହା ୧୩ ସ୍ଥାନକୁ ଖସିଆସିଥିଲା ।

ତେବେ ଚଳିତ ବର୍ଷ ଉନ୍ମୋଚିତ ହୋଇଥିବା ରିପୋର୍ଟ ଅନୁସାରେ ଓଡ଼ିଶା ୨୦୧୬-୧୭ ତୁଳନାରେ ପୁଣି ଆଉ ଏକ ସ୍ଥାନ ତଳକୁ ଖସିଆସିଛି । ନୀତି ଆୟୋଗ ଦ୍ୱାରା ଜଳ ପରିଚାଳନା କ୍ଷେତ୍ରରେ ୨୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଗୋଟିଏ ବର୍ଷର ପ୍ରଗତି ଅନୁସାରେ ରାଜ୍ୟମାନଙ୍କର ର‌୍ୟାଙ୍କିଂ ତାଲିକା ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ଓଡ଼ିଶା ୪୦ ପଏଂଟରୁ କମ୍ ସ୍କୋର କରିଛି । ୨୦୧୫-୧୬ରେ ଓଡ଼ିଶାର ସ୍କୋର ଥିଲା ୪୨.୨ ଓ ୨୦୧୬-୧୭ରେ ୪୧.୬ ଥିଲା । ଓଡ଼ିଶା ସମେତ ଝାଡ଼ଖଣ୍ଡ, ଉତରପ୍ରଦେଶ, ନାଗାଲାଣ୍ଡ, ମେଘାଳୟ ୪୦ ପଏଂଟରୁ କମ୍ ସ୍କୋର କରିଛନ୍ତି । ଓଡ଼ିଶା ସମେତ ୧୬ଟି ରାଜ୍ୟରେ ୫୦ ପଏଂଟରୁ କମ୍ ସ୍କୋରିଂ ଉନ୍ନତି ପାଇର୍ ପର୍ଯ୍ୟାପ୍ତ ନୁହେଁ ବୋଲି ନୀତି ଆୟୋଗର ରିପୋର୍ଟରେ କୁହାଯାଇଛି ।