ନବବିବାହିତାଙ୍କ କୁମାରୀତ୍ୱ ପରୀକ୍ଷା କଲେ ମିଳିବ ଦଣ୍ଡ ! ମହାରାଷ୍ଟ୍ର ସରକାର ନେବେ କଡ଼ା ପଦକ୍ଷେପ

213

ନବବିବାହିତା ମହିଳାମାନଙ୍କର କୁମାରୀତ୍ୱ ପରୀକ୍ଷା କରାଇବା ପ୍ରଥାକୁ ଅପରାଧ ଘୋଷଣା କରାଯିବ । ଖୁବ୍ ଶୀଘ୍ର ଏପରି କୁପ୍ରଥାକୁ ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରିବାକୁ ଯାଉଛନ୍ତି ବୋଲି ବୁଧବାର ଦିନ ମହାରାଷ୍ଟ୍ର ସରକାର କହିଛନ୍ତି । କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ବିବାହ ପୂର୍ବରୁ କୁମାରୀ ଥିଲେ ବୋଲି ନବବିବାହିତାଙ୍କୁ ପ୍ରମାଣ କରିବା ପାଇଁ ପଡ଼ୁଥିଲା । ରାଜ୍ୟ ଗୃହମନ୍ତ୍ରୀ ରଞ୍ଜିତ ପାଟିଲ୍ ଏ ସଂକ୍ରାନ୍ତରେ କେତେକ ସାମାଜିକ ସଂଗଠନର ପ୍ରତିନିଧିଙ୍କ ସହ ବୁଧବାର ଦିନ ସାକ୍ଷାତ୍ କରିଥିଲେ । ଶିବସେନା ମୁଖପାତ୍ର ନୀଲମ୍ ଗୋରେ ମଧ୍ୟ ଏହି ପ୍ରତିନିଧି ଦଳରେ ସାମିଲ୍ ହୋଇଥିଲେ ।

କୁମାରୀତ୍ୱ ପରୀକ୍ଷାକୁ ଏକ ପ୍ରକାରର ଯୌନ ଉତ୍ପୀଡ଼ ଭାବେ ବିବେଚନା କରାଯିବ। ଆଇନ ଓ ବିଚାର ବିଭାଗ ସହ ପରାମର୍ଶ କରିବା ପରେ ଏହାକୁ ଦଣ୍ଡନୀୟ ଅପରାଧ ଘୋଷଣା କରି ଏକ ସର୍କୁଲାର୍ ଜାରି କରାଯିବ ବୋଲି ପରେ ମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି । ଏଭଳି ସମ୍ମାନହାନୀକାରୀ ପ୍ରଥା କଞ୍ଜରଭଟ ଭଳି କେତେକ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳନ ହେଉଛି । ଏହା ବିରୋଧରେ ଉକ୍ତ ସମ୍ପ୍ରଦାୟର କେତେକ ଯୁବକ ଅନଲାଇନରେ ଅଭିଯାନ ଚଳାଇଛନ୍ତି ।