ଲମ୍ବା ରାସ୍ତା ଯିବାକୁ ଥିଲା, କିନ୍ତୁ ପାଖରେ ଟଙ୍କା ନଥିଲା । ଭିଟାମାଟି ଫେରିବାର ମୋହ ଆଗରେ ହାରିଗଲା ପ୍ରତିବନ୍ଧକ । ମହାରାଷ୍ଟ୍ରରୁ ସାଇକେଲରେ ବାହାରି ୬ଦିନର ଯାତ୍ରା ପରେ ଓଡିଶାର ନୂଆପଡାରେ ପହଞ୍ଚିଲେ ୬ ଶ୍ରମିକ

472

କନକ ବ୍ୟୁରୋ : ମହାରାଷ୍ଟ୍ରରୁ ସାଇକେଲରେ ବାହାରି ନୂଆପଡାରେ ପହଂଚିଲେ ୬ ଶ୍ରମିକ । ସାରା ଦେଶରେ ତାଲା ବନ୍ଦ ଚାଲିଥିବା ବେଳେ ଆଉ କିଛି ଉପାୟ ପାଇ ନିଜ ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ ଏମାନେ । ମେ ୬ ତାରିଖରେ ମହାରାଷ୍ଟ୍ରରୁ ବାହାରି ମେ ୧୨ ତାରଜ୍ଲେ ନୂଆପଡାରେ ପହଂଚିଥିଲେ । ଯାତ୍ରା ଆରମ୍ଭ କରିବା ବେଳେ ପାଖରେ ଟଙ୍କା ଟିଏ ନଥିଲା । ତେବେ ଧାରଉଧାର କରି ସେମାନେ ଏହି ସାଇକେଲ ଯାତ୍ରା କରି ଓଡିଶାରେ ପହଂଚିଥିଲେ ।

ଲମ୍ବା ରାସ୍ତା ଯିବାକୁ ଥିଲା , କିନ୍ତୁ ପାଖରେ ଟଙ୍କା ନଥିଲା । ଯଦି କିଛି ପାଖରେ ଥିଲା ତାହା ହେଲା ଦୃଢ ମନବଳ । ଏହି ଦୃଢମନ ବଳ ପାଇଁ ମହାରାଷ୍ଟ୍ରରୁ ସାଇକେଲରେ ଯାତ୍ରା କରି ଓଡିଶାରେ ପହଂଚିପାରିଛନ୍ତି ଏହି ୬ଜଣ ଶ୍ରମିକ । ସାଇକେଲ ଯାତ୍ରା ସମୟରେ ଅନେକ ବାଧାବିଘ୍ନକୁ ସାମନା କରିବାକୁ ପଡିଛି ଏମାନଙ୍କୁ । ୬ଦିନର ଯାତ୍ରାରେ ରାସ୍ତାରେ ଖାଇବାକୁ ମିଳିନଥିଲା । ତଥାପି ବଢି ଚାଲିଥିଲେ ଆଗକୁ ଆଗକୁ । ରାସ୍ତାରେ ଗଛତଳେ କଟୁଥିଲା ରାତି ।

ତେବେ ମହାରାଷ୍ଟ୍ରରୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏକ ରୁଟ ମ୍ୟାପ ପ୍ରସ୍ତୁତ କରିଥିଲେ ଏହି ୬ ଶ୍ରମିକ । ଛତିଶଗଡ ସୀମା ଅତିକ୍ରମ କରି ନୂଆପଡାରେ ପହଂଚିଥିଲେ ଏମାନେ । ଆଗକୁ ଆହୁରି ୨୦୦ କିଲୋମିଟର ଯାତ୍ରା । ନିଜ ଜିଲ୍ଲା କଳାହାଣ୍ଡି ଏବଂ ବଲାଙ୍ଗିର ଯିବା ପାଇଁ ଏହି କଷ୍ଟସାଧ୍ୟ ଯାତ୍ରା କରିଛନ୍ତି ଶ୍ରମିକଘରକୁ ଯିବାର ଝୁଙ୍କ ଆଗରେ ସତେ ଯେମିତି ସବୁକିଛି ହାର ମାନିଯାଇଛି । ଆଉ ବିଜୟପଥରେ ଆଗକୁ ଆଗକୁ ମାଡି ଚାଲିଛନ୍ତି ଏହି ଶ୍ରମିକମାନେ ।