ପାକିସ୍ତାନୀ ରାଜନେତା ଓ ସସ୍ମିତ୍ ପାତ୍ରଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ : ଭାରତର ବିରୋଧରେ ବିଷୋଦଗାର କଲେ ରେହମାନ୍ ମଲ୍ଲିକ୍, ସମାଲୋଚନା କରିବା ସହ ଲାଇଭ୍ ଡିବେଟରେ ସାମ୍ନାସାମ୍ନି ହେବାକୁ ଆହ୍ୱାନ ଦେଲେ ବିଜେଡ଼ି ନେତା

1,219

କନକ ବ୍ୟୁରୋ : ପାକିସ୍ତାନୀ ରାଜନେତା ଓ ସସ୍ମିତ୍ ପାତ୍ରଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ । ପାକିସ୍ତାନୀ ରାଜନେତା ରେହମାନ୍ ମଲ୍ଲିକ ଓ ରାଜ୍ୟସଭା ସାଂସଦ ତଥା ବିଜେଡ଼ି ନେତା ସସ୍ମିତ ପାତ୍ର ସାମ୍ନାମାମ୍ନି ହୋଇଛନ୍ତି । ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ୱିଟରେ ବିଷୋଦଗାର କରିଥିଲେ ପାକିସ୍ତାନୀ ନେତା । କେବଳ ଏତିକି ଭାରତ ଆତଙ୍କବାଦ ସୃଷ୍ଟି କରୁଛି ବୋଲି  ମଧ୍ୟ ଟ୍ୱିଟରରେ ଲେଖିଥିଲେ । ଆଉ ଏହାର କଡ଼ା ସମାଲୋଚନା କରିବା ସହ ପାକିସ୍ତାନୀ ନେତା ରେହମାନ ମଲ୍ଲିକଙ୍କୁ ମୁହଁତୋଡ଼୍ ଜବାବ ଦେଇଛନ୍ତି ସସ୍ମିତ ପାତ୍ର ।

ଟ୍ୱିଟରରେ ଭାରତକୁ ମିଛୁଆ ରାଷ୍ଟ୍ର କହିବା ସହ ମୋଦିଙ୍କୁ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିରେ ଲାଇଭ୍ ଡିବେଟ୍ ପାଇଁ ଆହ୍ୱାନ କରିଥିଲେ ରେହମାନ ମଲ୍ଲିକ । ପାକିସ୍ତାନ ନୁହେଁ ବରଂ ଭାରତର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି । ଏବଂ ନିର୍ବାଚନ ଜିତିବା ପାଇଁ ଆରଏଏସ୍ ପ୍ରଶିକ୍ଷିତ ଆତଙ୍କୀ ଆତଙ୍କ ଖେଳାଇ ବିଜେପିକୁ ଜିତାଇବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଅପବାଦ ଲଗାଇଥିଲେ ପାକିସ୍ତାନୀ ରାଜନେତା ।

ଆଉ ଏପରି ଭାରତ ବିରୋଧୀ ବୟାନକୁ ମୁହଁତୋଡ଼୍ ଜବାବ ଦେଇଛନ୍ତି ବିଜେଡ଼ି ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ବିବିସିରେ ଲାଇଭ୍ ଡିବେଟ୍ କରିବା ପାଇଁ ପାକିସ୍ତାନ ଯିବାପାଇଁ ବି ପ୍ରସ୍ତୁତ ବୋଲି କହିଛନ୍ତି । କ୍ୟାମେରା ସାମ୍ନାରେ ପାକିସ୍ତାନ ମାଟିରେ ହିଁ ପାକିସ୍ତାନର ମୁଖା ଖୋଲିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଦମ୍ ଥିଲେ ମୋ ସାମ୍ନା କର ବୋଲି ରଣହୁଙ୍କାର ଦେଇଛନ୍ତି ବିଜେଡ଼ି ନେତା ।

ସୂଚନାଯୋଗ୍ୟ ପୂର୍ବରୁ ଅର୍ନ୍ତଜାତୀୟ ମଂଚରେ ପାକିସ୍ତାନର ଅସଲ ମୁଖାଖୋଲି ଥିଲେ ବିଜେଡ଼ି ସାଂସଦ । ଆଇପିୟୁ ଜେନେରାଲ୍ ଆସେମ୍ଲିରେ ପାକିସ୍ତାନର ମିଛ ପଦାରେ ପକାଇଥିଲେ । ଆଉ ଏହାର ପ୍ରତିକ୍ରିୟାରେ ପାକିସ୍ତାନୀ ନେତା, ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରିଥିଲେ । ଆଉ ତା’ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟ୍ୱିଟର ଯୁଦ୍ଧ ।