ଚୋରି ରୋକିବ ‘ଟ୍ରାକିଂ ଇଣ୍ଡିଆ’ : ଚୋର ପଶିଲେ ମୋବାଇଲକୁ କଲ୍ ଆସିବା ସହ ଘର ସିକ୍ୟରିଟି ଲକ୍ ହୋଇଯିବ, ସ୍ୱତନ୍ତ୍ର ଯନ୍ତ୍ର ଉଦ୍ଭାବନ କଲେ ଚାଷୀ ପୁଅ ସନ୍ତୋଷ

957

କନକ ବ୍ୟୁରୋ : ଆଉ ରହିବନି ଚୋରି ଭୟ । ଅଚିନ୍ତା ନିଦରେ ଶୋଇପାରିବେ ଆପଣ । ରାତି ଶୋଇଥିବା ବେଳେ ଘରେ କିମ୍ବା ଦୋକାନକୁ ନେଇ ଚୋରି ଭୟ ଘାରିବନି । ଚୋରଙ୍କ ନିଦ ହଜାଇବ ‘ଟ୍ରାକିଂ ଇଣ୍ଡିଆ’ । ଏହି ସ୍ୱତନ୍ତ୍ର ଯନ୍ତ୍ର ଉଦ୍ଭାବନ କରିଛନ୍ତି ଜଣେ ଚାଷୀ ପୁଅ । ଏହି ଯୁବ ପ୍ରତିଭା ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ ତେରବାଟିଆ ଗ୍ରାମର ସନ୍ତୋଷ ପରିଡା ।

ସନ୍ତୋଷ ଏହି ସ୍ୱତନ୍ତ୍ର ଯନ୍ତ୍ରର ନାଁ ରଖିଛନ୍ତି ‘ଟ୍ରାକିଂ ଇଣ୍ଡିଆ’ । ଘର, ଦୋକାନ ବା ଗୋଦାମ ଗୃହରେ ଏହି ଯନ୍ତ୍ର ବ୍ୟବହାର କରିପାରିବେ ଆପଣ । କେହି ଚୋରି କଲେ ଆପଣଙ୍କ ମୋବାଇଲକୁ କଲ୍ ଆସିଯିବ । ଗୃହକର୍ତ୍ତା ଯନ୍ତ୍ରଟିକୁ ନିଜ ଦୋକାନ ବା ଘରେ କିଛି ସମୟ ରଖି ଯଦି ବାହାରକୁ ଯାଆନ୍ତି ତେବେ କିଛି ସମୟ ମଧ୍ୟରେ ଉକ୍ତ ଗୃହଟି ସିକ୍ୟୁରିଟି ଲକ୍ ହୋଇଯିବ । କେହି ଚୋରି କରିବାକୁ ଆସି କବାଟ , ଝରକା ଭାଙ୍ଗି ଘରେ ପ୍ରବେଶ କରେ ଏହି ଯନ୍ତ୍ରଦ୍ୱାରା ମୋବାଇଲକୁ କଲ୍ ଆସିଯିବ । ଯଦ୍ୱାରା ଘର ଭିତରେ ସାଇରନ୍ ବାଜିବା ସହ ଘରର ଛାତ ଉପରେ ଲାଗିଥିବା ନାଲି ଲାଇଟ୍ ମଧ୍ୟ ଜଳିଉଠିବ । ଫଳରେ ତତ୍କ୍ଷଣାତ ସେଠାରେ ଗୃହକର୍ତ୍ତା ପହଞ୍ଚି ଚୋରକୁ କାବୁ କରିପାରିବେ । ନଚେତ ନିଜ ଘରୁ ବା ଦୋକାନରୁ ଚୋରି ହେଉଥିବା ବିଷୟରେ ପୋଲିସକୁ ଖବର ଦେଇପାରିବେ ।

ସନ୍ତୋଷଙ୍କୁ ଏହି ଯନ୍ତ୍ର ତିଆରି କରିବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା । ୨୦୧୫ରେ ଏହି ଯନ୍ତ୍ରକୁ ନେଇ ରିସର୍ଚ୍ଚ କରିଥିଲେ ଏବଂ ୨୦୧୬ରେ ତିଆରି ସମ୍ପୂର୍ଣ୍ଣ ହୋଇଥିଲା । ପରୀକ୍ଷଣ କରିବା ପାଇଁ ତାଙ୍କୁ ୨ବର୍ଷ ଲାଗିଯାଇଥିବା ବେଳେ ୨୦୧୯ରେ ଏହାକୁ ବଜାରରେ ପ୍ରବେଶ କରାଇଛନ୍ତି ସନ୍ତୋଷ । ତେବେ ଏହି ଯନ୍ତ୍ର ତିଆରି କରିବାପାଇଁ ସନ୍ତୋଷ ୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ମେସିନର ଦାମ୍ ସର୍ବନିମ୍ନ ୪୯୯୯ଟଙ୍କା ଓ ସର୍ବୋଚ୍ଚ ୧୭ହଜାର ରହିଛି । ଜଣେ ଚାହିଁଲେ ଅନଲାଇନରେ ମଧ୍ୟ ଏହି ମେସିନ୍ କିଣି ପାରିବ ।

ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ଏହି ଯନ୍ତ୍ରଦ୍ୱାରା ଗୃହକର୍ତ୍ତା କଲ୍ ସିଷ୍ଟମ୍ ଅନ୍ କରି ଘରେ ପଶିଥିବା ଚୋର ସହିତ କଥା ବି ହୋଇପାରିବେ । ଆଉ ଏକ ବଡ଼ କଥା ହେଲା ସିଷ୍ଟମ୍ ସହିତ ଟିୟର ଗ୍ୟାସ ଛାଡ଼ିବାର ମଧ୍ୟ ସୁବିଧା ରହିଛି । ଚୋର ପଶିଲେ ଟିୟର ଗ୍ୟାସ୍ ସିଲଡ୍ ଆପେ ଆପେ ଭାବେ ଖୋଲିଯିବ । ଯାହା ଚୋରଙ୍କୁ ଅସୁବିଧାରେ ପକାଇବ ଓ ଚୋରି ରୋକି ହେବ । ଭୁବନେଶ୍ୱର ଜାତୀୟ ରାଜପଥ ଗୁଡିଆପୋଖରୀ ଠାରେ ନିଜର କାର୍ଯ୍ୟାଳୟ ଖୋଲି ଏହି ଯନ୍ତ୍ର ବିଷୟରେ ଲୋକମାନଙ୍କୁ ସେ ଅବଗତ କରାଉଛନ୍ତି ।

ଆଗାମୀ ଦିନରେ ପୋଲିସ ଅଧିକାରୀଙ୍କ ଅନୁମତି ପାଇଲେ ଯନ୍ତ୍ରକୁ ପୋଲିସ କଣ୍ଟ୍ରୋଲ ରୁମ୍ ନମ୍ବର ସଂଯୋଗ କରାଇବେ । ଫଳରେ ଚୋରି ହେବା ମାତ୍ରକେ ଉପଭୋକ୍ତାଙ୍କ ପାଖକୁ କଲ୍ ଯିବାର ମାତ୍ର ୪ମିନିଟ ପରେ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ ଯିବ । ଏପରି ଭାବେ ରୋକିହେବ ଚୋରି ।