ଜମ୍ମୁକଶ୍ମୀରରେ ସେନାକୁ ବଡ ସଫଳତା : ସୋପୋରରେ ଲସ୍କର-ଏ-ତୋଏବାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଆସିଫ ନିପାତ

402

କନକ ବ୍ୟୁରୋ : ଜମ୍ମୁକଶ୍ମୀର ସେନାକୁ ମିଳିଛି ବଡ ସଫଳତା । ସୋପୋରରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟୱାେଂଟଡ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବହିନୀ । କୁଖ୍ୟାତ ଆତଙ୍କବାଦୀ ଆସିଫ ନିପାତ ହୋଇଛି । ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ସେହି ସୂଚନା ଆଧାରରେ ଯବାନ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ । ପୂର୍ବରୁ ଆସିଫର ଗୁଳିମାଡରେ ସୋପୋରର ଗୋଟିଏ ପରିବାରର ୩ ଜଣ ଆହତ ହୋଇଥିଲେ ।

ଆହତଙ୍କ ମଧ୍ୟରେ ଜଣେ ୩୦ ମାସର ଶିଶୁ ବି ରହିଥିଲା । ଏହି ଘଟଣାର ୫ ଦିନ ପରେ ସେନା ଅପରେସନ ବେଳେ ଆସିଫକୁ ନିପାତ କରିଛି । ଯାହାକି ସୁରକ୍ଷା ବାହିନୀ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । ଲସ୍କର ଆତଙ୍କୀର ମୃତ୍ୟୁ ନେଇ ଜାମ୍ମୁକାଶ୍ମୀର ଡିଜିପି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଆରମ୍ଭରୁ ବର୍ତମାନ ଯାଏଁ ୧୩୯ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା ।

ସେପଟେ ଭାରତ ଭିତରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଏଲଓସିରେ ଏକାଧିକ ଆତଙ୍କବାଦୀ କ୍ୟାମ୍ପ ଓ ୭ଟି ଲଂଚ ପ୍ୟାଡକୁ ପୁଣି କାର୍ଯ୍ୟକ୍ଷମ କରିଛି ପାକିସ୍ତାନ । ଲାଇନ ଅଫ୍ କଂଟ୍ରୋଲ ଦେଇ ଜମ୍ମୁକାଶ୍ମୀର ଭିତରକୁ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ୨୭୫ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଛି ପାକିସ୍ତାନ । ଗୁଇନ୍ଦା ସୂଚନା ଅନୁଯାୟୀ ଏଲଓସି ଆରପଟରେ ଗୁରେଜରେ ୮୦, ମାଛଲରେ ୬୦, ନୂଆଗାଁରେ ୧୫ ଓ ରାମପୁରରେ ୧୦ ଜଣ ଆତଙ୍କବାଦୀ କ୍ୟାମ୍ପ କରି ଜମୁକାଶ୍ମୀର ଭିତରକୁ ଅନୁପ୍ରବେଶ କରିବା ପାଇଁ ଅପେକ୍ଷା କରିଛନ୍ତି । ଏମାନଙ୍କ ମଧ୍ୟରେ ଆଫଗାନିସ୍ତାନ ଓ ପସ୍ତୁନର ଜିହାଦ ଆତଙ୍କବାଦୀ ରହିଛନ୍ତି । ପାକିସ୍ତାନ ସେନା ଓ ଆଇଏସଆଇ ଏଥିପାଇଁ ଲଂଚପ୍ୟାଡକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି ।