ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନୂଆ ବର୍ଷ ! ଓଡିଆ ପଞ୍ଜିକା ଗଣନାରେ ବର୍ଷର ପ୍ରଥମ ଦିନ

303

ଓଡିଆରେ କଥା ଅଛି ‘ବାର ମାସରେ ତେର ପର୍ବ’ ଅର୍ଥାତ କାଳ ତୁଳନାରେ ଅନେକ ପର୍ବପର୍ବାଣି ଓଡିଶାରେ ଅନୁଷ୍ଠିତ ହୁଏ । ଉତ୍କଳର ପର୍ବପର୍ବାଣି ଗୁଡିକ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ଉପରେ ପ୍ରତିଷ୍ଠିତ । ଉତ୍କଳୀୟମାନେ ପର୍ବପର୍ବାଣିକୁ ବହୁତ ଆନନ୍ଦ ସହକାରେ ପାଳନ କରନ୍ତି । କେବଳ ଏତିକି ନୁହଁ ଏହି ପର୍ବପର୍ବାଣି ରୁ ଆମକୁ ଅନେକ ଶିକ୍ଷା ମଧ୍ୟ ମଳିଥାଏ । କାରଣ ଅଧିକ ପର୍ବପର୍ବାଣି ଘଟଣାବଳୀ ଉପରେ ପ୍ରତିଷ୍ଠିତ । ଏହିସବୁ କାରଣରୁ ଉତ୍କଳର ପର୍ବପର୍ବାଣି ଗୁଡିକର ଅନେକ ବିଶେଷତ୍ୱ ରହିଛି ।

ଉତ୍କଳରେ କେତେକ ପର୍ବପର୍ବାଣି ଗ୍ରୀଷ୍ମ ଋତୁରେ ପାଳନ ହୁଏ । ସେଥିମଧ୍ୟରୁ ପଣାସଂକ୍ରାନ୍ତି ଅନ୍ୟତମ । ପଣାସଂକ୍ରାନ୍ତିକୁ ମଦାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପଣାସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଏହା ସଧାରଣତଃ ଅପ୍ରେଲ ୧୪ ତାରିଖରେ ପଡେ । ଏହି ଦିନ ଠାରୁ ବସନ୍ତ ଋତୁୁର ଶେଷ ଓ ଗ୍ରୀଷ୍ମର ଆରମ୍ବ ହୋଇଥାଏ । ଏହି ଦିନରେ କେତେକେ ବିଶିଷ୍ଟ ସ୍ଥାନରେ ଛାମୁ ଯାତ୍ରା ମଧ୍ୟ ହୋଇଥାଏ ।

ଝଙ୍ଗଡରେ ଶାରଳା ଠାକୁରାଣୀ ,କାକକଟ ପୁରରରେ ମଙ୍ଗଳାଦେବୀ ଏବଂ ବାଙ୍କୀରେ ଚର୍ଚ୍ଚିକା ଠାକୁରାଣୀଙ୍କ ନିକଟରେ ଛାମୁଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ । ଗ୍ରୀଷ୍ମଦିନରେ ଝାମ ବା ଝାଉଁ ମାଡଯିବାର ସମ୍ବାବନା ଥିବାରୁ ଏହି ଦିନରେ ପଣାସେବନ ମଧ୍ୟ କରାଯାଏ । ଓଡିଆ ପଞ୍ଜିକା ଗଣନା ଅନୁସାରେ ମହାବିଷୁୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ୱତନ୍ତ୍ର ପୁଜା, ଭୋଗ, ହୋମ ଆଦି କରାଯାଇଥାଏ ।

ଏହି ସମୟରେ ସୂର୍ଯ୍ୟକିରଣ ବୃଦ୍ଧି ହେବା ସହ ହଜମ କ୍ରିୟା ମଧ୍ୟ ବୃଦ୍ଧି ପାଇଥାଏ । ଶରୀରର ଅତ୍ୟଧିକ ତାପକୁ ସମ ଅବସ୍ଥାକୁ ଆଣିବା ପାଇ ପଣାପାନର ବ୍ୟବସ୍ଥା ରହିଥାଏ । ତେଣୁ ମହାବିଷୁୁବ ସଂକ୍ରାନ୍ତି ଦିନରେ ବିଜିନ୍ନ ଦେବାବେଦୀ ଓ ମନ୍ଦିର ମାନଙ୍କରେ ପଣାପାନର ବ୍ୟବସ୍ଥା ରହିଛି । ପଣାସଂକ୍ରାନ୍ତି ଠାରୁ ରାସ୍ତା କଡରେ ପଥିକ ମାନଙ୍କ ପାଇଁ ଜଳଛତ୍ର ମଧ୍ୟ ଖୋଲାଯାଏ । ଏହା ସହିତ ବୃକ୍ଷମୂଳରେ ଜଳଦାନର ପ୍ରଥା ମଧ୍ୟ ଆମ ସମାଜରେ ପ୍ରଚଳିତା ସେଥିପାଇଁ ହିନ୍ଦୁ ପରିବାରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡିଆ କରି ମାଠିଆରେ ଜଳରଖି ନିମ୍ନ ଅଂଶରେ ସରୁ କଣା କରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଓ ଜୀବଜଗତକୁ ଜଳପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ପ୍ରଖର ହୋଇଥାଏ । ଉଭୟ ବାୟୁୁ ଓ ଅଗ୍ନିିର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ବିଭିନ୍ନ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ମହାବିଷୁବ ସଂକ୍ରାନ୍ତି ଓଡିଶାର ଏକ ବିଶିଷ୍ଟ ପର୍ବ । ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୃଦୃଢ କରେ ।