କାଶ୍ମୀର ପ୍ରସଙ୍ଗରେ ବୟାନବାଜି ଓ ପାକିସ୍ତାନ ସହ ଦୋସ୍ତି ମହଙ୍ଗା ପଡ଼ିଲା : ଏବେ ଭାରତ ସହ ଆଲୋଚନା କରିବାକୁ ଗୁହାରୀ କଲା ମାଲେସିଆ

787

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ବୟାନବାଜି ଓ ପାକିସ୍ତାନ ସହ ଦୋସ୍ତି, ମାଲେସିଆକୁ ମହଙ୍ଗା ପଡ଼ିଛି । ଦେଶର ଆଭ୍ୟନ୍ତରୀଣ ମାମଲାରେ ବାରମ୍ୱାର ହସ୍ତକ୍ଷେପ କରୁଥିବାରୁ ଭାରତ ମାଲେସିଆରୁ ପାମ ଅଏଲ ଆମଦାନୀ କରିବା ବନ୍ଦ କରିଦେଇଥିଲା । ଫଳରେ ମାଲେସିଆରେ ପାମ ଅଏଲର ମୂଲ୍ୟ ୧୧ ବର୍ଷରେ ସବୁଠାରୁ କମ ସ୍ତରରେ ପହଞ୍ଚି ଯାଇଥିଲା । ଗୋଟିଏ ପଟେ ମୂଲ୍ୟ କମ ହୋଇଯାଇଥିବା ବେଳେ ଭାରତ ଆମଦାନୀ ବନ୍ଦ କରିଦେଇଥିବାରୁ ମାଲେସିଆ ବିଚଳିତ ହୋଇପଡ଼ିଛି ।

ଆର୍ଥିକ ସ୍ତରରେ କ୍ଷତି ପହଞ୍ଚିବା ପରେ ମାଲେସିଆର ବ୍ୟବସାୟୀ ସରକାର ଉପରେ ଚାପ ପ୍ରୟୋଗ କରୁଛନ୍ତି ।  ଆଉ ଶେଷରେ ଭାରତ ସହ ଆଲୋଚନା କରି ସମସ୍ୟାର ସମାଧାନ ଚାହୁଁଛନ୍ତି ମାଲେସିଆ ସରକାର । ମାଲେସିଆ ଏବେ କୂଟନୈତିକ ସ୍ତରରେ ମଧ୍ୟ ଆଲୋଚନା କରିବାକୁ ପ୍ରୟାସ କରୁଛି । ଆସନ୍ତା ସପ୍ତାହରେ ଦାବୋସରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମରେ ମଧ୍ୟ ମାଲେସିଆ ବାଣିଜ୍ୟ ଭାରତୀୟ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଏନେଇ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏବେ ସୁଦ୍ଧା ମିଟିଂର କୌଣସି ଏଜେଣ୍ଡା ପ୍ରସ୍ତୁତ କରାଯାଇ ନାହିଁ ।

ସୂଚନାଯୋଗ୍ୟ ବିଗତ କିଛି ଦିନ ହେବ ମାଲେସିଆ କାଶ୍ମୀର ଓ ସିଏଏ-ଏନଆସି ପ୍ରସଙ୍ଗକୁ ନେଇ ଭାରତକୁ ବିରୋଧ କରୁଥିଲା । କେବଳ ଏତିକି ନୁହେଁ ଏହି ମାମଲାକୁ ନେଇ ଅନ୍ତରାଷ୍ଟ୍ରିୟ ମଞ୍ଚରେ ବାରମ୍ବାର ଉଠାଇଥିଲା । ଆଉ ସେବେଠାରୁ ମାଲେସିଆ ଓ ଭାରତ ଭିତରେ ସମ୍ମନ୍ଧ ଭଲ ନାହିଁ ।