ରହସ୍ୟ ବଢାଇଲା ସାତକୋଶିଆରେ ମହାବଳ ବାଘ ମହାବୀରର ମୃତ୍ୟୁ : ବ୍ୟବଚ୍ଛେଦ ପରେ ଜଣା ପଡିବ ମୃତ୍ୟୁର କାରଣ

140

କନକ ବ୍ୟୁରୋ : ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନାକୁ ବଡ ଧରଣର ଧକ୍କା ଲାଗିଛି । କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ସାଢ଼େ ଚାରିମାସ ତଳେ ଆସିଥିବା ୩ବିର୍ଷିୟ ମହାବଳ ମହାବୀରର ମୃତ୍ୟୁ ହୋଇଛି । କୋର ଏରିଆରେ ମହାବଳ ଘୁରି ବୁଲୁଥିବାବେଳେ ତାର ମୃତ ଦେହ ଠାବ କରିଛି ବନବିଭାଗ । ତେବେ ମହାବୀରର କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ନାହିଁ । ମହାବଳ ମହାବୀରକୁ ମାରିଦିଆଯାଇଛି କି ମରିଯାଇଛି କିଛି ଜଣାପଡ଼ିନି । ଆଜି ବାଘର ମୃତଦେହ ବ୍ୟବଚ୍ଛେଦ କରିବା ପରେ ବାଘ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଗତ ଜୁନ୍ ୨୧ରେ ଓଡିଶା ସରକାର କାହ୍ନାରୁ ଏହି ଅଣ୍ଡିରା ବାଘକୁ ସାତକୋଶିଆକୁ ଆଣିଥିଲେ । ଉଦ୍ଦେଶ୍ୟ ଥିଲା ସାତକୋଶିଆରେ ମହାବଳ ବଂଶ ବୃଦ୍ଧି କରିବା । ଗତିବିଧିକୁ ନଜର କରିବା ପାଇଁ ତା ବେକରେ ରେଡିଓକଲାର ଘଞ୍ଜା ଯାଇଥିଲା । ତେବେ ସବୁଦିନ ପରି ମହାବଳ ରାଇଗୁଡା ରେଞ୍ଜର କୋର ଏରିଆରେ ଘୁରି ବୁଲୁଥିବାବେଳେ ହଠାତ୍ ରେଡିଓ କଲାରରେ ବାଘର ଚଳନ ଠପ୍ ହୋଇଯାଇଥିଲା । ଅନେକ ସମୟରେ ରେଡିଓ କୋଲାର ବାଘର ହୃତ୍ ସ୍ପନ୍ଦନ ସୂଚନା ଦିଏ । ସ୍ବାସ୍ଥ୍ୟ ସମ୍ବନ୍ଧିତ ଜରୁରୀ ପାରାମିଟର ସମ୍ପର୍କରେ ମନିଟରିଂ କରୁଥିବା ଲୋକଙ୍କୁ ଅବଗତ କରାଇଥାଏ ।

ଦୀର୍ଘ ସମୟ ଧରି ବାଘ କେଉଁଆଡେ ଚଳପ୍ରଚନ ନକରିବା ପରେ ବାଘର ସ୍ୱାସ୍ଥ୍ୟ ସମ୍ପର୍କୀୟ ଜରୁରୀ ପାରାମିଟର ଖରାପ ଥିବା ଜଣାପଡିଥିଲା । ଘନ ଜଙ୍ଗଲରେ ଖୋଜୁ ଖୋଜୁ ବିଳମ୍ବିତ ରାତିରେ ମହାବଳର ମୃତଦେହକୁ ବନବିଭାଗ ଠାବ କରିଛି । ଗୋଟିଏ ପଟେ ସୁନ୍ଦରୀକୁ ନେଇ ସାତକୋଶିଆରେ ବଡ ଧରଣର ବିବାଦ ସୃଷ୍ଟି ହୋଇଥିବା ବେଳେ ଏବେ ମହାବଳ ମହାବୀରର ମୃତ୍ୟୁ ଖବର ସାମ୍ନାକୁ ଆସିଛି ।

ମହାବଳର ମୃତ୍ୟୁ ଘଟଣା ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ଯୋଜନାକୁ ପୂରା ଅନ୍ଧାରକୁ ଠେଲି ଦେଇଥିବାବେଳେ ସାତକୋଶିଆ କର୍ତୃପକ୍ଷଙ୍କ ସାଙ୍ଘାତିକ ଅବହେଳା ଜଳଜଳ ଦିଶୁଛି । ‘ସୁନ୍ଦରୀ’କୁ ଠିକ୍ରେ ନିରୀକ୍ଷଣ କରାଯାଇ ପାରିଲାନାହିଁ ବୋଲି ଲଙ୍କାକାଣ୍ଡ ଏବଂ ଖଣ୍ଡଯୁଦ୍ଧର ସୂତ୍ରପାତ ହୋଇଥିଲା । ସାତକୋଶିଆରେ ୬ଟି ମହାବଳ ଛାଡ଼ିବାକୁ ଯୋଜନା ରହିଥିଲା । ପ୍ରଥମେ ମହାବଳ ଓ ପରେ ‘ସୁନ୍ଦରୀ’ ଆସିଥିଲା ଆଉ ୪ଟି ମହାବଳ ଆସିଥାନ୍ତେ । ହେଲେ ଏସବୁ ପ୍ରସ୍ତାବ ଏବେ ସାମୟିକ ଭାବେ ସ୍ଥଗିତ ରହିଛି ।