ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ : ୬ ଲୋକସଭା ଓ ୪୨ ବିଧାନସଭା କ୍ଷେତ୍ରରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

114

କନକ ବ୍ୟୁରୋ : ଆସନ୍ତା କାଲି ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ୧୦ ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୬ଟି ଲୋକସଭା ପାଇଁ ୬୧ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରତିନିଧି ଖୋଜିବେ। ୪୨ଟି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୩୫୬ ପ୍ରାର୍ଥୀଙ୍କ ମଧ୍ୟରୁ କିଏ ସେମାନଙ୍କୁ ପାଞ୍ଚ ବର୍ଷପାଇଁ ପ୍ରତିନିଧିତ୍ବ କରିବ, ତାହା ନିର୍ଣ୍ଣୟ କରିବେ । ମତଦାତାଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର ଥିବା ବେଳେ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଭୋଟରଙ୍କ ସମେତ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟର ସାମିଲ ଅଛନ୍ତି ।

ସବୁଠାରୁ କୌତୂହଳର କଥା ହେଲା, ରାଜଧାନୀ ଭୁବନେଶ୍ବରରେ ଅବସରପ୍ରାପ୍ତ ଆଇଏଏସ (ଅପରାଜିତା ଷଡଙ୍ଗୀ)-ଆଇପିଏସ୍ (ଅରୂପ ପଟ୍ଟନାୟକ) ପରୀକ୍ଷା ଦେବେ। କଟକରେ ଅଭିଜ୍ଞ ସାଂସଦ ଭର୍ତୃହରି ମହତାବ ଓ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଏବଂ ପୁରୀରେ ଜାତୀୟ ସ୍ତରରେ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ରଙ୍କ ଲୋକପ୍ରିୟତାର ପରୀକ୍ଷା ନିରୀକ୍ଷା େହବ।

ନିର୍ବାଚନ ମଇଦାନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅଛନ୍ତି। ତାଙ୍କୁ ଛାଡି ଏହି ପର୍ଯ୍ୟାୟରେ ରାଜ୍ୟ କଂଗ୍ରେସର ଚାରି ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାମାକ୍ଷା ପ୍ରସାଦ ସିଂହଦେଓ ଓ ଶରତ ପଟ୍ଟନାୟକ ଭୋଟରଙ୍କୁ ସାମ୍ନା କରିବେ। ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ୬ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଦ୍ରି ନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ମହେଶ୍ବର ମହାନ୍ତି, ଅଶୋକ ଚନ୍ଦ୍ର ପଣ୍ଡାଙ୍କର ରାଜନୈତିକ ଭାଗ୍ୟ ଲେଖିବେ ଭୋଟର। ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନ, ସିପିଏମ୍ ନେତା ଜନାର୍ଦନ ପତି, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଦୀପ ମହାରଥୀ ପ୍ରମୁଖ ବହୁ ହେଭିୱେଟ୍ ନେତାଙ୍କ ପାଇଁ ଆସନ୍ତା ୨୩ ତାରିଖ ଅନେକ ଗୁରୁତ୍ବ ବହନ କରୁଛି ।

ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ ୬ଟି ଲୋକସଭା ଆସନ ଯଥା- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭାଓ ୪୨ଟି ବିଧାନସଭା ଆସନ ପାଇଁ ୨୩ ତାରିଖରେ ନିର୍ବାଚନ ହେବ। ରବିବାର ସନ୍ଧ୍ୟାରୁ ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ନିରବ ଅବଧି ଲାଗୁ ହୋଇଛି। ଏହି ଅବଧି ବଳବତ୍ତର ଥିବାବେଳେ କୌଣସି ଦଳର ରାଜନେତା ଗଣମାଧ୍ୟମରେ ଟିପ୍ପଣୀ ଦେଇପାରିବେ ନାହିଁ କି ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ।

ତୃତୀୟ ପର୍ଯ୍ୟାୟରେ ଲୋକସଭା ପାଇଁ ୬୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ଭିତରୁ ୫୫ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୧୯ ଜଣ ଜାତୀୟ ଦଳର ଥିବାବେଳେ ୬ଜଣ ଆଞ୍ଚଳିକ ଦଳ, ୨୭ ଜଣ ଅନ୍ୟାନ୍ୟ ଏବଂ ୯ ଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଭାଗ ନେଇଛନ୍ତି । ସେହିପରି ବିଧାନସଭାରେ ମୋଟ ୩୫୬ ଜଣ ପ୍ରାର୍ଥୀଙ୍କ ଭିତରୁ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ସାମିଲ ଅଛନ୍ତି । ଏସବୁ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ଜାତୀୟ ଦଳରୁ ନିର୍ବାଚନ ଲଢ଼ୁଥିବାବେଳେ ୪୨ ଜଣ ଆଞ୍ଚଳିକ ଦଳ, ୯୦ ଜଣ ଅନ୍ୟାନ୍ୟ ଓ ୧୦୩ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ମତଦାନ ଦିନ ୪୨ଟିରୁ ୩୫ଟି ବିଧାନସଭା ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ବାକି ୭ଟିରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ସୁରକ୍ଷା ଦୃଷ୍ଟିରୁ ମାଓ ଅଧ୍ୟୁଷିତ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭାର ୭ଟି ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରିବାକୁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି । ସମ୍ବଲପୁର ଲୋକସଭା ଆସନରେ ଆସୁଥିବା କୁଚିଣ୍ଡା, ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ । ସେହିପରି କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀର ଚମ୍ପୁଆ, ଢେଙ୍କାନାଳ ଲୋକସଭା ଆସନ ଅଧୀନରେ ଆସୁଥିବା ପାଳଲହଡ଼ା ଓ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରିବାକୁ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି ।

ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସମ୍ବଲପୁର ଲୋକସଭା ଆସନ ସମେତ କୁଚିଣ୍ଡା (ଏସଟି), ରେଙ୍ଗାଳି (ଏସସି), ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା (ଏସସି) ଓ ଆଠମଲ୍ଲିକ ବିଧାନସଭା ପାଇଁ ୨୩ ତାରିଖରେ ଭୋଟ ଗ୍ରହଣ କରାଯିବ । କେନ୍ଦୁଝର ସଂରକ୍ଷିତ ଲୋକସଭା ଆସନ ଅଧୀନରେ ଆସୁଥିବା ତେଲକୋଇ (ଏସଟି), ଘଷିପୁରା, ଆନନ୍ଦପୁର (ଏସସି), ପାଟଣା (ଏସଟି), କେନ୍ଦୁଝର (ଏସଟି), ଚମ୍ପୁଆ, କରଞ୍ଜିଆ (ଏସଟି) ବିଧାନସଭା ସମେତ ଢେଙ୍କାନାଳ ଲୋକସଭା ଆସନରେ ଆସୁଥିବା ଢେଙ୍କାନାଳ, ହିନ୍ଦୋଳ (ଏସସି), କାମାକ୍ଷାନଗର, ପରଜଙ୍ଗ, ପାଳଲହଡ଼ା, ତାଳଚେର ଓ ଅନୁଗୁଳ ବିଧାନସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି ।

କଟକ ଲୋକସଭା ଆସନ ସମେତ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ-ସଦର (ଏସସି) ଓ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାବେଳେ ପୁରୀ ଲୋକସଭା ଆସନ ଅଧୀନରେ ଆସୁଥିବା ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼ ଆସନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ସେହିପରି ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ (ଏସସି), ଭୁବନେଶ୍ବର-ମଧ୍ୟ, ଭୁବନେଶ୍ବର-ଉତ୍ତର, ଭୁବନେଶ୍ବର-ଏକାମ୍ର, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା ପାଇଁ ଆସନ୍ତା  ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ପାଇଁ ପ୍ରଚାର କାର୍ଯ୍ୟ ସମ୍ପନ୍ନ ହୋଇଛି ।