ତପ୍ତପାଣି ବସ୍ ଦୁର୍ଘଟଣା ପରେ ସରିଲା ଉଦ୍ଧାରକାର୍ଯ୍ୟ : ୨ ଜଣଙ୍କୁ କଟକ ସ୍ଥାନାନ୍ତର, ଦୁର୍ଘଟଣା ପରଠୁ ବସ୍ ଡ୍ରାଇଭର ଓ ହେଲପର ଫେରାର

367

କନକ ବ୍ୟୁରୋ : ତପ୍ତପାଣି ଘାଟିରୁ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ସରିଲା ଉଦ୍ଧାର କାମ । ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । କ୍ରେନ ସାହାଯ୍ୟରେ ଗାଡିକୁ ଉଠାଯାଇଛି । ବସର ଡ୍ରାଇଭର ଓ ହେଲପର ଫେରାର ଥିବା ଜଣାପଡିଛି । ଉଭୟଙ୍କୁ ଖୋଜୁଛି ପୋଲିସ୍ । ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସେପଟେ ଆଠଜଣ ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୬ ମହିଳା ରହିଛନ୍ତି । ସେମାନଙ୍କ ପରିଚୟ ମିଳି ଯାଇଛି। ମୃତକମାନେ ସୁନିଲ ନାୟକ, ରମେଶ ବେହେରା, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ଅନେ୍ଵଷା ମହାପାତ୍ର, କରିସ୍ମା ନାୟକ, ସୁବାସିନି ମହାରଣା ଓ ବିଦ୍ୟୁତ ନାୟକ ବୋଲି ଜଣାପଡ଼ିଛି।

ଅନ୍ୟପଟେ ତପ୍ତପାଣି ଘାଟିରେ ବସ ଦୁର୍ଘଟଣା ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।  ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ।

ଦମକଳବାହିନୀର ୫ଟି ଟିମ୍ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ କରିଥିଲେ । ପ୍ରାୟ ୪୦ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଘଂଚ ଜଙ୍ଗଲ ଓ ପାଣି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ରାୟଗଡାରୁ ବ୍ରହ୍ମପୁର ଆସୁଥିଲା ବସ୍ । ରାତି ପ୍ରାୟ ୩ଟା ୧୫ରେ ଏହି ଦୁର୍ଘଟଣା ଘଟିଥିଲା । ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା କୁହାଯାଉଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ମାରୁତି ବସର ତଥ୍ୟ ସାମନାକୁ ଆସିଛି । ଏହି ବସଟି ୧୩ ବର୍ଷର ପୁରୁଣା । ବସର ମାଲିକାନା ସୁନୀତା ଧଳଙ୍କ ନାଁରେ ଥିବାବେଳେ ୨୦୦୭ ଡିସେମ୍ବର ୭ରେ ଏହାର ପଞ୍ଜିକରଣ ହୋଇଥିଲା । ବସର ଫିଟନେସ୍ ଓ ଇନସ୍ୟୁରାନ୍ସ ସବୁ କିଛି ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ବୈଧ ରହିଛି । ବସଟି ଅଶୋକ ଲେଲ୍ୟାଣ୍ଡ ଦ୍ୱାରା ନିର୍ମିତ ବିଏସ-୨ ମଡେଲର ଗାଡି ।