ତାମିଲନାଡୁ ରାଜନୀତିରେ ନୂଆ ମୋଡ ! ଏଆଇଏଡିଏମକେରୁ ବାଦ ପଡିଲେ ଶଶିକଳା ଓ ତାଙ୍କ ପରିବାର

25

କନକ ବ୍ୟୁରୋ : ତାମିଲନାଡୁ ରାଜନୀତିରେ ଆଉ ଏକ ହାଇଭୋଲଟେଡ୍ ଡ୍ରାମା । ଦଳରୁ ବାଦ୍ ପଡିଲେ ଶଶୀକଳା । ଚିନ୍ନାମାଙ୍କୁ ଦଳରୁ ବାହାର କରିବା ନେଇ ପାର୍ଟି ବୈଠକରେ ନିଷ୍ପତି ହୋଇଛି । ଏପରିକି ଶଶିକଳାଙ୍କ ପୁତୁରା ତଥା ଦଳର ନମ୍ବର ଟୁ ନେତା ଦିନାକରନଙ୍କୁ ବି ଦଳରୁ ବାହାର କରିଦିଆଯାଇଛି । ଏବେ ଦଳର ଦାୟିତ୍ୱ କମିଟି ହାତରେ ରହିବ । ବର୍ତମାନ ସ୍ଥିତିରେ ଆଡ-ହକ୍ କମିଟି ଦଳ ବାବଦରେ ସମସ୍ତ ନିଷ୍ପତି ନେବ ।

ପୂର୍ବରୁ ଶଶିକଳା ଏବଂ ଦିନାକରନଙ୍କୁ ଦଳରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ନଚେତ୍ ଉଭୟଙ୍କୁ ଦଳରୁ ବାହାର କରାଯିବା ନେଇ ଚେତାବନୀ ଦିଆଯାଇଥିଲା । ତାମିଲନାଡୁ ରାଜନୀତିରେ ଏବେ ନୂଆ ମୋଡ ଦେଖିବାକୁ ମିଳିଛି । ଦୁଇ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବୁଝାମଣା ନେଇ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ସହ ହାତ ମିଳାଇବା ସ୍ଥିତିରେ ଅଛନ୍ତି ବିଦ୍ରୋହୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ୍ ।

ଶୁଣାଯାଉଛି, ମୁଖ୍ୟମନ୍ତ୍ରୀ ଭାବେ ପଲାନିସ୍ୱାମୀ ଦାୟିତ୍ୱରେ ରହିବାକୁ ନିଷ୍ପତି ବି ସରିଛି । ତେବେ ଶଶିକଳା ଏବଂ ଦିନାକରନ ଦଳରେ ଥିବା ଯାଏଁ ତାହା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ପନିରସେଲଭମ୍ । ତେଣୁ ଶଶିକଳା ଏବଂ ତାଙ୍କ ପରିବାରକୁ ଦଳରୁ ବାଦ୍ ଦେବାକୁ ନିଷ୍ପତି ହୋଇଥିଲା । ମୁଖ୍ୟମନ୍ତ୍ରୀ, ସମସ୍ତ ବିଧାୟକ, ସାଂସଦଙ୍କ ଏକମତରେ ଶଶୀକଳାଙ୍କୁ ଏଆଇଏଡିଏମକେ ରୁ ବାଦ୍ ଦିଆଯାଇଥିବା ଦଳର ନେତା କହିଛନ୍ତି ।