ଉପରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ ହିଁ ଦିଲ୍ଲୀର ଅସଲି ମାଲିକ : ସୁପ୍ରିକକୋର୍ଟଙ୍କ ରାୟ ପରେ ଆଉ କେଉଁ କେଉଁ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ, ପଢ଼ନ୍ତୁ ଏହି ରିପୋର୍ଟ

33

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଆଜିର ନୁହେଁ । ଦୀର୍ଘ ତିନି ବର୍ଷ ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ତିକ୍ତତା ବଢିଚାଲିଛି । ଏହାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ତେବେ ଏହାପରେ ଏହି ବିବାଦରେ ପୂର୍ଣ୍ଣଛେଦ ପଡିବା ଆଶା କରାଯାଉଛି । ତେବେ ଆସନ୍ତୁ ନଜର ପକାଇବା କେଉଁ କେଉଁ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗରୁତ୍ୱପୂର୍ଣ୍ଣ ନିଷ୍ପତି ପରେ ବିବାଦରେ ପଡିବ କି ପୂର୍ଣ୍ଣଛେଦ? କାହିଁକି ନା ଏବେବି ଅନେକ ଏମିତି ପ୍ରସଙ୍ଗ ରହିଛି ଯାହାକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ । ନଜର ପକାଇବା କଣ ରହିଛିଏହି ପ୍ରସଙ୍ଗ ।

kejriwal
image courtesy-https://www.hindustantimes.com

୧. କ୍ୟାବିନେଟ ପରାମର୍ଶ ଅନୁଯାୟୀ କାମ କରିବେ କି ଉପରାଜ୍ୟପାଳ?
ଉପରାଜ୍ୟପାଳଙ୍କର ସ୍ୱତନ୍ତ୍ର ଅଧିକାର ନାହିଁ । କ୍ୟାବିନେଟ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳଙ୍କୁ କାମ କରିବାକୁ ପଡ଼ିବ । ତେବେ ତିନି ବର୍ଷ ବିବାଦ ପରେ ଏବେ କ’ଣ ଉପରାଜ୍ୟପାଳ ସବୁ ନିଷ୍ପତିରେ ମନ୍ତ୍ରୀମଣ୍ଡଳର ପରାମର୍ଶ ଲୋଡିବେ କି?କୋର୍ଟ ଅନୁଯାୟୀ କୌଣସି ପ୍ରସଙ୍ଗରେ ଅସହମତି ହେଲେ ଫାଇଲ ରାଷ୍ଟ୍ରପତିଙ୍କ ନିକଟକୁ ଯିବ । ରାଷ୍ଟ୍ରପତି ମଧ୍ୟ ଗୃହ ମନ୍ତ୍ରାଳୟର ପରାମର୍ଶ ଅନୁସାରେ ନିଷ୍ପତି ନେବେ । ଏପରି ସ୍ଥିତିରେ କେଜରିୱାଲ ସରକାରଙ୍କ ବିରୋଧରେ କିଛି ନିଷ୍ପତି ନିଆଗଲେ ସେ କଣ ଏହାକୁ ମାନିବେ କି?

୨. କେନ୍ଦ୍ର ଅଧିନରେ ରହିଛି ପୁଲିସ ପ୍ରଶାସନ
ଦିଲ୍ଲୀ ପୁଲିସ ଏବେବି ଗୃହ ମନ୍ତ୍ରାଳୟ ଅଧିନରେ ରହିବ । କାରଣ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ କ୍ଷମତା ଦେବା ସହଜ ନୁହେଁ । ଆପ୍ ବିଧାୟକଙ୍କ ବିରୋଧରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ କେଜରିୱାଲ ଜୋରଦାର ବିରୋଧ କରିଛନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଦିଲ୍ଲୀ ପୁଲିସ ଯଦି ଭବିଷ୍ୟତରେ କିଛି ବଡ ପଦକ୍ଷେପ ନେବ ତାହେଲେ ଏହାକୁ କେନ୍ଦ୍ରର ହସ୍ତକ୍ଷେପ ବୋଲି ମାନିବେ କି ଦିଲ୍ଲୀ ସରକାର ।

lg cm

୩. ପୂର୍ଣ୍ଣ ରାଜ୍ୟ କ୍ଷମତା ଦାବି ନେଇ ଜାରି ରହିବ ଲଢେଇ
ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ କ୍ଷମତା ଦାବିକୁ ଜୋରସୋର କରିଛି ଆପ୍ । କିନ୍ତୁ ଏହା ଏତେଟା ସହଜ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ତେବେ ପୁଲିସ, ଜମିଜମା ଓ ପବ୍ଲିକ ଅର୍ଡରକୁ ଦିଲ୍ଲୀ ସରକାର ଅଧିନକୁ ଆଣିବାକୁ ଚାହୁଁଥିବା ଆପ୍ ଏହି ଆନ୍ଦୋଳନ ଜାରି ରଖିବ । ଏହାକୁ ନେଇ ପୁଣି ମୁହାଁମୁହିଁ ହେବେ ସରକାର ଓ ଉପରାଜ୍ୟପାଳ । ସେପଟେ କୌଣସି ଜମି ଉପରେ ସ୍କୁଲ, ହସ୍ପିଟାଲ କିମ୍ବା ଅନ୍ୟ କିଛି ନିର୍ମାଣ ପାଇଁ ଦିଲ୍ଲୀ ସରକାର ଯୋଜନା କଲେ ତାଙ୍କୁ ଉପରାଜ୍ୟପାଳଙ୍କ ନିକଟକୁ ଯିବାକୁ ପଡିବ ।

୪. ଅଧିକାରୀଙ୍କୁ ନେଇ ଜାରି ରହିବ ମୁହାଁମୁହିଁ ପରିସ୍ଥିତି
କେନ୍ଦ୍ର ଶାସିତ ଅଂଚଳ ଓ ରାଜଧାନୀ ହୋଇଥିବା କାରଣରୁ ଦିଲ୍ଲୀରେ ରାଜ୍ୟକୁ ବାଦ୍ ଦେଇ କେନ୍ଦ୍ରୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରୁହନ୍ତି । ଏମାନଙ୍କୁ ବଦଳି ଓ ପୋଷ୍ଟିଂକୁ ନେଇ ମଧ୍ୟ ବିବାଦ ଚାଲିଥାଏ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦିଲ୍ଲୀ ସରକାର ନିଜ ଅଧିକାରୀଙ୍କ ଉପରେ ନିଷ୍ପତି ନେଇପାରିବେ କିନ୍ତୁ କେନ୍ଦ୍ରୀୟ ଅଧିକାରୀଙ୍କ ଉପରେ କୌଣସି ନିଷ୍ପତି ନେଇପାରିବେ ନାହିଁ । ଏଥିରେ ଆଂଟି କରପସନ ବ୍ୟୁରୋକୁ ନେଇ ରହିଛି ବଡ ବିବାଦ । କାରଣ ଆଟିଂ କରପସନ ବ୍ୟୁରୋ ବା ଏସିବି ଏବେବି ଦିଲ୍ଲୀ ପୁଲିସ ଅଧିନରେ ରହିଛି ।

୫. ମ୍ୟୁନିସିପାଲ କର୍ପୋରେସନ ଦିଲ୍ଲୀକୁ ନେଇ ବଡ ବିବାଦ
ଦିଲ୍ଲୀରେ ଏମସିଡି କର୍ମଚାରୀଙ୍କ ଦରମାକୁ ନେଇ ହୋଇଥିବା ଆନ୍ଦୋଳନ ଦିଲ୍ଲୀବାସୀଙ୍କ ସମସ୍ୟାକୁ ବଢାଇଛି । ଏହି ସମୟରେ ସହରର ବିଭିନ୍ନ ସ୍ଥାନରେ କୁଢ କୁଢ ଆର୍ବଜନା ପଡିରହିଥାଏ । ମ୍ୟୁନିସିପାଲ କର୍ପୋରେସନ ଦିଲ୍ଲୀ ବା ଏମସିଡି ଏବେ ମଧ୍ୟ ପୂର୍ଣ୍ଣ ଭାବରେ ବିଜେପି ନିକଟରେ ରହିଛି । ଏହାକୁ ନେଇ ମଧ୍ୟ ମୁହାଁମୁହିଁ ପରିସ୍ଥିତି ହୋଇପାରେ । କେବଳ ପରିମଳ ବ୍ୟବସ୍ଥା ନୁହେଁ ପିଇବା ପାଣି ଯୋଗାଣକୁ ନେଇ ମଧ୍ୟ ସରକାର ଓ ଏମ୍ସିଡି ମଧ୍ୟରେ ତିକ୍ତତା ବଢୁଛି ।