ସ୍କୁଲରେ ଯୋଗ ବାଧ୍ୟତାମୂଳକ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅଗ୍ରାହ୍ୟ !

31

ଦେଶର ସମସ୍ତ ସ୍କୁଲରେ ରାଷ୍ଟ୍ରୀୟ ଯୋଗ ନୀତି ପ୍ରଣୟନ ଓ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଗକୁ ବାଧ୍ୟତାମୂଳକ କରିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ସରକାର ନିଷ୍ପତ୍ତି ନେଇ ପାରିବେ ବୋଲି କହିଛନ୍ତି । ସ୍କୁଲମାନଙ୍କରେ ପାଠ୍ୟକ୍ରମ କ’ଣ ରହିବ ତାହା ଖଣ୍ଡପୀଠ ସ୍ଥିର କରିପାରିବେ ନାହିଁ। ଏନେଇ କୋର୍ଟ କିପରି ନିର୍ଣ୍ଣୟ ନେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି । ଆବେଦନକାରୀଙ୍କ ଦାବି ପ୍ରସଙ୍ଗରେ କୋର୍ଟ କୌଣସି ପ୍ରକାର ସାହାଯ୍ୟ କରିପାରିବେ ନାହିଁ । ସ୍କୁଲରେ ପାଠ୍ୟକ୍ରମ କ’ଣ ରହିବ ତାହା ଜାଣିବା ମଧ୍ୟ କୋର୍ଟଙ୍କ ମୌଳିକ ଅଧିକାର ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

ଦିଲ୍ଲୀ ବିଜେପି ପ୍ରବକ୍ତା ତଥା ବରିଷ୍ଠ ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟ ଓ ଜିସି ସେଠ୍‌ ସ୍କୁଲମାନଙ୍କରେ ଯୋଗ ଓ ଯୋଗ ପାଠ୍ୟକ୍ରମ ବାଧ୍ୟତାମୂଳକ କରିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଏହାସହ ଜୀବନ, ଶିକ୍ଷା ଓ ସମାନତା ଭଳି ବିଭିନ୍ନ ମୌଳିକ ଅଧିକାରର ଭାବନାକୁ ଧ୍ୟାନରେ ରଖି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଇଁ ଯୋଗ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ସଂପର୍କିତ ପୁସ୍ତକ ଉପଲବ୍‌ଧ କରାଇବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ, ଏନ୍‌ସିଇଆର୍‌ଟି, ଏନ୍‌ସିଇଟି ଓ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ନାଗରିକ ବିଶେଷ କରି ଶିଶୁ ଓ କିଶୋରମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ଉପଲବ୍‌ଧ କରାଇବା ରାଜ୍ୟମାନଙ୍କର କର୍ତ୍ତବ୍ୟ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।