୨୦୧୪ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଝଟକା ! ନୋଟିସ ଜାରି କଲେ ସୁପ୍ରିମକୋର୍ଟ

36

କନକ ବ୍ୟୁରୋ : ୨୦୧୪ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର, ଭାରତୀୟ ନିର୍ବାଚନ ଆୟୋଗ ଓ ଗଂଜାମ ଜିଲା ନିର୍ବାଚନ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି । ଚାରି ସପ୍ତାହ ଭିତରେ ନୋଟିସର ଜବାବ ଦେବାକୁ କୋର୍ଟ କହିଛନ୍ତି । ବିଚାରପତି ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ ।

ସମାଜସେବୀ ସୁବାଷ ମହାପାତ୍ରଙ୍କ ସୁପ୍ରିମକୋର୍ଟରେ ଏ ନେଇ ଆବେଦନ କରିଥିଲେ । ନିର୍ବାଚନ ଖର୍ଚ ଅନିୟମିତତା ମାମଲାର ଶୁଣାଣୀ ଓଡିସା ହାଇକୋର୍ଟରେ ଚାଲିଛି । ରାଜ୍ୟ ସରକାରଙ୍କ ପ୍ରଭାବ ଯୋଗୁୁଁ ମାମଲାର ଶୁଣାଣୀ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଶୁଣାଣୀ ଦିଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ମାମଲା ଦାୟର କରାଯାଇଥିଲା । ସେହି ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିସା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ତିନି ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଆଉ କୋର୍ଟଙ୍କ ଏହି ନିର୍ଦେଶ ପରେ ରାଜ୍ୟ ସରକାରଙ୍କୁ ଜୋରଦାର ଝଟକା ଲାଗିଛି ।

ଏବେ ଆସନ୍ତୁ ଜାଣିବା କଣ ଥିଲା ବିଜେଡି ନିର୍ବାଚନ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗ-

ସାମାଜିକ କର୍ମୀ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ  । ଅଭିଯୋଗ ଅନୁସାରେ ବିଜେଡି ନେତାମାନଙ୍କୁ ନିର୍ବାଚନ ଖର୍ଚ୍ଚ ବାବଦରେ ପାର୍ଟି ପକ୍ଷରୁ ଦିଆଯାଇଥିବା ଟଙ୍କା ଏବଂ ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଭିତରେ ଏକ ବିରାଟ ଅସଙ୍ଗତି ରହିଥିବା ନେଇ ଅଭିଯୋଗ ହୋଇଥିଲା । ନେତାଙ୍କ ସତ୍ୟପାଠକୁ ନେଇ ବିଜେଡିକୁ କାଠଗଡାରେ ଛିଡା କରିଥିଲେ ସାମାଜିକ କର୍ମୀ ସୁବାସ ମହାପାତ୍ର । ଦଳକୁ ମିଳୁଥିବା ଅନୁଦାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।

ବିଜେଡି କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବ୍ୟକ୍ତି ପ୍ରାୟ କୋଟିଏ ଟଙ୍କା ପାର୍ଟି ଆକାଉଂଟରେ ଜମା କରିଥିଲେ । ବିଭିନ୍ନ ସୂତ୍ରରୁ ଦଳକୁ ମିଳୁଥିବା ଅନୁଦାନକୁ ସେ ବିଭିନ୍ନ ପର୍ଯ୍ୟାୟରେ ଜମା କରିଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । କେତେକ ବେନାମୀ ଆକାଉଂଟରୁ କୋଟିକୋଟି ଟଙ୍କା ବିଜେଡି ଆକାଉଂଟକୁ ଟ୍ରାନ୍ସଫର ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ସୁବାସ ମହାପାତ୍ର  । ଏସବିଆଇ, ଭୁବନେଶ୍ୱର ମେନ ବ୍ରାଂଚ ନାଁରେ ଥିବା ଆକାଉଂଟରୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଥିଲା ।