ଦଳବଦଳ ରାଜନୀତି ଯୋଗୁଁ ସରଗରମ ରାଜ୍ୟ ରାଜନୀତି ! ଶଙ୍ଖ ଫୁଙ୍କିଲେ ଝିଅ ସୁନୀତା, ହେମାନନ୍ଦ କହିଲେ ଏହା ଦଳ ପାଇଁ ଅପୂରଣୀୟ କ୍ଷତି

372

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ରୋଚକ ହେବାରେ ଲାଗିଛି । ରାଜ୍ୟରେ ଏବେ ଚାଲିଛି ଦଳଡିଆଁ ରାଜନୀତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳବଦଳ କରିବା ଓ ବିଜୟ ସମ୍ଭାବନା ଥିବା ଦଳରୁ ଟିକେଟ ହାତେଇବା ନେତାଙ୍କ ପାଇଁ ଅତି ସାଧାରଣ କଥା । ଏହାକିଛି ନୂଆ କଥା ନୁହେଁ । କିମ୍ବା ଓଡ଼ିଶା ରାଜନୀତି ମଧ୍ୟ ଏପରି ପ୍ରକ୍ରିୟାରେ ଅଭ୍ୟସ୍ତ । ଦଳରେ କନ୍ଦଳ, ଶୀର୍ଷ ନେତୃତ୍ୱ ଉପରେ ଆସ୍ଥାହାନି ତଥା ନିଜସ୍ୱ ଲାଭକ୍ଷତି ନେଇ ଦଳଡ଼ିଆଁର ମୁଖ୍ୟ କାରଣ ହୋଇଥାଏ । ନିର୍ବାଚନ ପୂର୍ବରୁ ନିକଟରେ ଅନେକ ରାଜନେତା ଦଳ ପରିବର୍ତ୍ତନ କରିସାରିଛନ୍ତି । ତେବେ ଏହି ତାଲିକାରେ ସର୍ବାଗ୍ରେ ଅଛି ଶାସକ ଦଳ ବିଜେଡ଼ି । ବିଜେଡ଼ିରେ ବିଭିନ୍ନ ଦଳର ଛାମୁଆ ନେତାମାନେ ସାମିଲ ହୋଇଛନ୍ତି ।

ତେବେ ଦଳଡିଆଁ ରାଜନୀତି ଯୋଗୁଁ କିଏ ଲାଭବାନ ହେବ ତାହା ଜନତା କହିବେ । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁନୀତା । ଓଡିଶାକୁ ସାରା ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ କରାଇବାରେ ନବୀନଙ୍କ ଇଚ୍ଛାଶକ୍ତି ଓ ରାଜନୈତିକ ପ୍ରତିବଦ୍ଧତା ତାଙ୍କୁ ଆକର୍ଷିତ କରିଥିବା କହିଛନ୍ତି ସୁନୀତା । ରାଜନୀତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ, ମିଶନ ଶକ୍ତି କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ବିକାଶ ପାଇଁ କାଳିଆ ଯୋଜନା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି ।

ତେବେ ତାଙ୍କ ବାପା ହେମାନନ୍ଦ ବିଶ୍ୱାଳ କହିଛନ୍ତି ସୁନୀତା ନିଜସ୍ୱ ଇଚ୍ଛାରେ ବିଜେଡ଼ିରେ ଯୋଗଦେଇଛି । ସେଥିରେ ମୋର କିଛି କହିବାର ନାହିଁ । ଝିଅ ହେଲେ ବି ବିବାହ କରିସାରିବା ପରେ ସେ ଅନ୍ୟ ଘରର ବୋହୁ ହୋଇଛି । ତାଙ୍କର ନିଜର ନିଷ୍ପତ୍ତି ନେବାର ଅଧିକାର ରହିଛି । ତେବେ ଜଣେ କଂଗ୍ରେସ ନେତାଭାବେ ମୁଁ ମର୍ମାହତ ବୋଲି । ଏହା ଏକ ଦୁଃଖଦାୟକ ଘଟଣା । ଦଳରୁ ଜେଣ କର୍ମୀ ଅନ୍ୟ ଦଳକୁ ଗଲେ ଦଳର କ୍ଷତି ହେବା ସ୍ୱଭାବିକ କଥା ବୋଲି କହିଛନ୍ତି ହେମାନନ୍ଦ ବିଶ୍ୱାଳ ।