ସାତକୋଶିଆରେ ପୁଣି ‘ସୁନ୍ଦରୀ’ ଆତଙ୍କ : ୪ ବାଛୁରୀ ଓ ଗୋଟିଏ ବଳଦକୁ ଆକ୍ରମଣ କଲା ବାଘୁଣୀ

43

କନକ ବ୍ୟୁରୋ : ପୁଣି ଆକ୍ରମଣ କଲା ସୁନ୍ଦରୀ । ସାତକୋଶିଆରେଆତଙ୍କ ଖେଳାଉଛି ବାଘୁଣୀ । ମଣିଷ ମାରିଥିବା ବାଘୁଣୀ ସୁନ୍ଦରୀକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଣି ଗୋରୁଗାଈଙ୍କୁ ଆକ୍ରମଣ କରିଛି ବାଘୁଣୀ । ଗତକାଲି ୪ଟି ବାଛୁରୀ ଓ ଗୋଟିଏ ବଳଦକୁ ଆକ୍ରମଣ କରିଛି ସୁନ୍ଦରୀ । ଧଣ୍ଡତୋପା ରେଞ୍ଜ ବିପ୍ରଡିହ ଗାଁରେ ସୁନ୍ଦରୀ ଏହି ଆକ୍ରମଣ କରିଛି । ମଣିଷଖିଆ ବାଘୁଣୀ ଜଙ୍ଗଲକୁ ଫେରିବ କି ନାହିଁ, ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । କାରଣ ଏ ସଂପର୍କରେ ଚୂଡାନ୍ତ ନିଷ୍ପତି ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ନେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସାତକୋଶିଆରେ ଲୋକଙ୍କ ଆକ୍ରୋଶ ଦେଖି ବାଘୁଣୀକୁ ଫେରାଇ ନିଆଯିବ ବୋଲି କହିଥିଲା ଜିଲ୍ଲା ପ୍ରଶାସନ ।

ହେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ନିଷ୍ପତି, ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ନେବ । ସେହିପରି ମହିଳାଙ୍କୁ ବାଘ ଶିକାର କରିଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି ମନ୍ତ୍ରୀ । ବନ ବିଭାଗର ତଥ୍ୟକୁ ଆଧାର କରି ମୃତ ମହିଳାଙ୍କ ଦେହରେ ବାଘ ଆକ୍ରମଣର କୌଣସି ଲକ୍ଷଣ ଦେଖାଯାଉ ନଥିବା ସେ କହିଛନ୍ତି । ଯଦି ସୁନ୍ଦରୀ ମହିଳାଙ୍କୁ ମାରିଥାନ୍ତା ତେବେ ମହିଳାଙ୍କ ମୃତଦେହକୁ ସେଠାରେ ଛାଡିକି ଯାଇନଥାନ୍ତା । ତେବେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି ।

sundari

 

ସେପଟେ ୧୫ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ସୁନ୍ଦରୀ ସ୍ଥାନାନ୍ତର ନହେଲେ ପ୍ରତିକ୍ରିୟା ଆହୁରି ଭୟାବହ ହେବା ଆଶଙ୍କା କରାଯାଉଛି । ଶନିବାର ମଧ୍ୟରାତିରେ ଲୋକେ ଦେଇଥିବା କଣ୍ଟ ପୂରିବାକୁ ବସିଛି। ହାତରେ ଆଉ ମାତ୍ର ୨୪ ଘଣ୍ଟା ବାକି ଥିବା ବେଳେ ଏପର‌୍ୟ୍ୟନ୍ତ ବାଘୁଣୀକୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ତେଣୁ ‘ସୁନ୍ଦରୀ’ ପ୍ରତି ଏବେ ବିପଦ ଘନେଇବାରେ ଲାଗିଛି। ‘ସୁନ୍ଦରୀ’କୁ ହତ୍ୟା କରିବାକୁ ଲୋକେ ଧମକ ଦେଇଥିବାରୁ ଯେକୌଣସି ବି ସମୟରେ ସେମାନେ ବାଘୁଣୀକୁ ମାରି ଦେଇପାରନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକଙ୍କ ନିକଟରେ ବନ୍ଧୁକ ରହିଛି। ସେମାନେ ବାଘୁଣୀ ଉପରେ କଡ଼ା ନଜର ରଖିଛନ୍ତି। ଯଦି ବାଘୁଣୀ ଜନବସତି ଆଡ଼କୁ ଆସେ ତେବେ ଗୁଳି ମାରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।