ବିଜେପିରେ ଯୋଗଦେବେ ସୁକାନ୍ତ ନାୟକ ! ଦଳ ଅଣଦେଖା କରୁଥିବା କହି ବିଜେଡ଼ି ଛାଡ଼ିଥିଲେ ନୀଳଗିରି ବିଧାୟକ

308

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ । ଆଉ ଏତିକି ବେଳେ ଦଳଡିଆଁ ରାଜନୀତି ଯୋଗୁଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଶେଷମୁହୂର୍ତ୍ତରେ ନେତାମାନେ ଅନ୍ୟ ଦଳରେ ଯୋଗଦେବା ପାଇଁ ପ୍ରସ୍ତୁତି କରୁଛନ୍ତି । କିଏ କେଉଁ ଦଳ ଛାଡୁଛନ୍ତି ଓ କେଉଁ ଦଳରେ କିଏ ସାମିଲ ହେଉଛନ୍ତି ତାକୁ ନେଇ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ସୂଚନା ଅନୁସାରେ ବିଜେପିରେ ଯୋଗଦେବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ।

ଶଙ୍ଖ ଛାଡ଼ିବାର କିଛି ଦିନ ପରେ ପଦ୍ମ ଧରିବେ ସୁକାନ୍ତ ନାୟକ । ଗେରୁଆ ରଙ୍ଗରେ ରଙ୍ଗେଇ ହେବେ ସୁକାନ୍ତ । ଆଜିକୁ ୫ ଦିନ ପୂର୍ବରୁ ବିଜେଡ଼ି ଛାଡ଼ିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସୁକାନ୍ତ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହାଛଡା ଦଳରେ ତାଙ୍କ ବିରୋଧରେ ସାଂଘାତିକ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ମଧ୍ୟ ଆଣିଥିଲେ ସୁକାନ୍ତ । ତାଙ୍କ ସହ ନୀଳଗିରି ଅଞ୍ଚଳର ଶତାଧିକ କର୍ମୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ ।

ତେବେ ଏହି ଦଳଡ଼ିଆଁ ରାଜନୀତିରେ କିଏ କେତେ ପ୍ରଭାବିତ ହେବ ତାହା ସମୟ କହିବ । ବିଜେଡ଼ି ଛାଡ଼ିବା ପରେ ଦଳ କ୍ଷତିରେ ରହିବ ନା ବିଜେପିକୁ ଆସୁଥିବା ନେତାଙ୍କ ପାଇଁ ଗେରୁଆ ଗଡ଼ରେ ବିଜୟ ସମ୍ଭାବନା ବଢ଼ିବ ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।