ଡାକ୍ତରୀ ବିଜ୍ଞାନକୁ ବଡ ସଫଳତାକୁ : କଟାହାତକୁ ପୁଣି ଥରେ ଶରୀର ସହ ଯୋଡ଼ିଲେ କଟକର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍

65

କନକ ବ୍ୟୁରୋ : କଟାହାତର କରୁଣ କାହାଣୀ ଭିତରେ କମାଲ କରି ଦେଖାଇଲେ ଡାକ୍ତର । ଅସମ୍ଭବକୁ ସମ୍ଭବ କରି ଡାକ୍ତରଙ୍କ ଉପରେ ଲୋକଙ୍କ ଆସ୍ଥାକୁ ବଜାୟ ରଖିବା ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ହାତ କଟିଗଲା ପରେ ଏକ କଟା ହାତକୁ ପୁଣିଥରେ ଶରୀର ସହ ଯୋଡିବାରେ ସଫଳ ହୋଇଛନ୍ତି ଡାକ୍ତର । କଟକରେ କଟା ହାତର ସଫଳ ଅପରେସନ ସମ୍ଭବ ହୋଇଛି । କମ୍ପାନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ହାତ ହଠାତ କଟିଯାଇଥିଲା । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଏକ ଘରୋଇ ମେଡିକାଲକୁ ଆସିଥିଲେ ରୋଗୀ ଜଣଙ୍କ । ଯେଉଁଠି ଏଭଳି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଅପରେସନ ଆରମ୍ଭ କରିଥିଲେ ଡାକ୍ତର । ଆଉ ଏହି ଜଟିିଳ ଅପରେସନ ସଫଳ ବି ହୋଇଛି ।

ଅପରେସନ ପରେ ଏବେ ଧନଞ୍ଜୟଙ୍କ ହାତ କାର୍ଯ୍ୟ କରିବାର ଆଶା ଯଥେଷ୍ଟ ଅଧିକ । ତେବେ ସ୍ନାୟୁ ଓ ମାଂଶପେଶୀର କ୍ରିୟାଶୀଳତା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଆଉ ଏଥିପାଇଁ ହୁଏତ ୦୬ରୁ ୦୮ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ । ହେଲେ ବର୍ତ୍ତମାନ ସମୟରେ ଅପରେସନ ସଫଳ ହୋଇଥିବା ଜଣା ପଡିଛି । କଟା ହାତକୁ ଯୋଡିବାରେ ସଫଳ ହୋଇଛନ୍ତି କଟକର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ । ଜଣେ ଅର୍ଥୋପେଡିକ ସ୍ପେଶାଲିଷ୍ଟ ଓ ଚାରିଜଣ ପ୍ଲାଷ୍ଟିକ ସର୍ଜନକୁ ନେଇ ଗତକାଲି ରାତି ତମାମ ଚାଲିଥିବା ଏହି ଅପରେସନ । ପରେ ଧନଞ୍ଜୟଙ୍କ ପାଇଁ ସ୍ୱଭାବିକ ଜୀବନର ଏକ ନୂଆ ଆଶା ସଂଚାର ହୋଇଛି । ସବୁଠାରୁ ବଡ କଥା ହେଲା ତାଙ୍କ କଟା ହାତକୁ ସଂପୂର୍ଣ୍ଣ ଯୋଡିବାରେ ସଫଳ ହୋଇଛନ୍ତି ଡାକ୍ତର । ଏହା ସହ ଡାକ୍ତରୀ ବିଜ୍ଞାନରେ ପୁଣି ଏକ ନୂଆ ଉଦାହରଣ ସୃଷ୍ଟି ହୋଇଛି ।

ହାତ କଟିଯିବା ପରେ ଧନଞ୍ଜୟଙ୍କ ଟିସୁ ବହୁ ପରିମାଣରେ ନଷ୍ଟ ହୋଇଯାଇଥିଲା । ବହୁ ପରିମାଣରେ ରକ୍ତ ବୋହିବା ଯୋଗୁଁ ସ୍ଥିତି ଆହୁରି ଗୁରୁତର ହୋଇ ପଡିଥିଲା । ଏଣୁ ରୋଗୀକୁ ଅକ୍ସିଜେନ ଓ ଆନୁସଙ୍ଗୀକ ବ୍ୟବସ୍ଥା ସହ ସ୍ଥିର ଅବସ୍ଥାକୁ ଆଣି ଅପରେସନ ଆରମ୍ଭ ହୋଇଥିଲା । ଅସ୍ଥି, ମାଂସେପେଶୀ ସହ ସ୍ନାୟୁ ଅପରେସନ କରିଥିଲେ ଡାକ୍ତର । ଅପରେସନ ସମୟରେ ଧନଞ୍ଜୟଙ୍କ ହାତକୁ ୦୨ ଇଂଚ କାଟିବାକୁ ପଡିଥିଲେ ବି ଅପରେସନ ସଫଳ ହୋଇଛି । ଅପରେସନ ପରେ ପ୍ରତିଦିନ ସ୍ନାୟୁ ୦୧ ମିଲିମିଟର ବୃଦ୍ଧି ପାଇବ ଓ ସଂପୂର୍ଣ୍ଣ ବିକଶିତ ହେବା ପାଇଁ ୦୮ମାସ ପର୍ଯ୍ୟନ୍ତ ସମୟ ଲାଗିବ । ଡାକ୍ତରଙ୍କ କହିବା କଥା ଏଭଳି ଦୁର୍ଘଟଣା ଘଟିଲେ ୦୪ରୁ ୦୬ଘଂଟା ଭିତରେ ଅପରେସନର ସମ୍ଭାବନା ଥାଏ, ଏଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ ।