ଭୁଷୁଡିଲା ମୁଖ୍ୟ କେନାଲ ! ଚାଷ ଜମିରେ ମାଡିଗଲା ପାଣି,ଚାଷୀ ମୁଣ୍ଡରେ ଚଡକ

21

କନକ ବ୍ୟୁରୋ : ସରକାରୀ ଯୋଜନାର ରୂପାୟନ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତେବେ ଏହି ଟଙ୍କା ଠିକ ଭାବରେ ଖର୍ଚ ହେଉଛି ନା ନାହିଁ ତାହାର ଚିତ୍ର ଏବେ ସାମ୍ନାକୁ ଆସିଛି । କେଉଁଠି ରାସ୍ତା କାମ ଅଧାରେ ଅଟକିଥିବା ବେଳେ ପୁଣି କେଉଁଠି ଭାଂଗିଯାଉଛି କେନାଲବନ୍ଧ ।

ମୟୁରଭଂଜ ସାରସକଣାର ଛୁଆଡିମ୍ବଠାରେ ଭୁଶୁଡିପଡିଛି ସୁବର୍ଣରେଖାର ମୁଖ୍ୟ କେନାଲ । ଯାହାଫଳରେ ଘାଇ ସୃଷ୍ଟି ହୋଇ ଶହଶହ ଏକର ଚାଷଜମିରେ ମାଡିଯାଇଛି ପାଣି । ଆଉ ଚାଷଜମିରେ ବାଲି ଚରିଯାଇଛି । ତେବେ ଏହି ଘଟଣାରେ ଅନୁପଯୁକ୍ତ ମାଟିକୁ ଦାୟୀ କରିଛନ୍ତି ଜରୁରୀକାଳିନ ଅଫିସର । ଆଉ ଅଧିକାରୀଙ୍କ ବୟାନ ପରେ ଅନିୟମିତତା ହୋଇଥିବାର ସନ୍ଦେହ କରିଛନ୍ତି ସ୍ଥାନୀୟ ବାସିନ୍ଦା । କେଉଁଠି ଅନୁପଯୁକ୍ତ ମାଟି ପୁଣି କେଉଁଠି ପିସି କାରବାର ଯୋଗୁଁ ଅଧାରେ ଅଟକିଛି ଉନ୍ନତିମୂଳକ କାର୍ଯ୍ୟ ।

ସେହିପରି ଭଦ୍ରକ ଗଦିଠାରୁ ଚାନ୍ଦବାଲି ଘଂଟେଶ୍ୱର ରାସ୍ତାର ଅବସ୍ଥା ଦେଖିଲେ ସରକାରୀ ଅବ୍ୟବସ୍ଥା ବିଷୟରେ ଭଲଭାବରେ ଅବଗତ ହୋଇପାରିବେ । ଖାଲଖମାରେ ଏହି ରାସ୍ତା ଭରପୁର ହୋଇଥିବାବେଳେ ପ୍ରତିଦିନ ହଜାର ହଜାର ଲୋକଙ୍କପାଇଁ ଏହି ରାସ୍ତା ହିଁ ଏକମାତ୍ର ଭରସା । କିନ୍ତୁ ରାସ୍ତାକାମ ୩ବର୍ଷ ବିତିଯାଇଥିଲେ ବି ଏହି ରାସ୍ତାର ଅବସ୍ଥା ସେମିତି ବେହାଲ ହୋଇ ପଡିରହିଛି । ଅନ୍ୟପଟେ ବ୍ୟାପକ ପିସି କାରବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ । ସେହିପରି ରାସ୍ତାକାମକୁ ନେଇ ଚିରାଚରିତ ପ୍ରତିକ୍ରିୟା ଦେଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୈାମକେଶ ରାୟ । ବିଧାୟକ କହିଛନ୍ତି ଯେ ବର୍ଷା ଛାଡିଲେ ରାସ୍ତା କାମ ହେବ ।