ଆରଟିଓ ବାହାରୁ ଦଲାଲଙ୍କୁ ହଟାଇବା ପାଇଁ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ ! ନିଯୁକ୍ତ ହେବେ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର

857

କନକ ବ୍ୟୁରୋ : ଆରଟିଓ ଅଫିସ୍‌ରୁ ହଟିବେ ଦଲାଲ । ନିଯୁକ୍ତ ହେବେ ‌ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର । ବିଭିନ୍ନ ଲାଇସେନ୍‌ସ୍‌ ସହ ଗାଡ଼ିର ପରମିଟ୍‌ ଓ ଅନ୍ୟାନ୍ୟ କାମ ନେଇ ଆରଟିଓ ଅଫିସ୍‌କୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ଭଲ୍ୟୁଣ୍ଟିୟର ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଗୃହ ବିଭାଗର ଘୋଷଣା ପରେ ପରିବହନ ଆୟୁକ୍ତ ସଞ୍ଜୀବ ପଣ୍ଡା ସମସ୍ତ ଆରଟିଓଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି । ତୁରନ୍ତ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ନିଯୁକ୍ତ କରି ଏହି ସବୁ କାମକୁ ସହଜଲବ୍ଧ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ଆରଟିଓ ଅଫିସ୍‌ରେ ମାଳମାଳ ଦଲାଲ ବୁଲି ଲୋକଙ୍କ ସାହାଯ୍ୟ କରିବା ଆଳରେ ବିଭିନ୍ନ ପ୍ରମାଣପତ୍ର ପିଛା ଟଙ୍କା ଆଦାୟ କରନ୍ତି । ଏହା ଖୋଲାଖୋଲି ଭାବେ ଚାଲିଥିବାରୁ ଏହା ପଛରେ ପରିବହନ ବିଭାଗର କର୍ମଚାରୀଙ୍କର ନିରବ ସମର୍ଥନ ଥିବା ଅଭିଯୋଗ ଆସିଥାଏ ।  ବାରମ୍ବାର ଏଭଳି ଅଭିଯୋଗ ହେବା ସହ ଏହାକୁ ରୋକିବା ସମ୍ଭବ ନ ହେବାରୁ ଏହି ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ଯୋଜନା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଆରଟିଓ ଅଫିସ୍‌କୁ ଆସୁଥିବା ଲୋକାମାନଙ୍କୁ ଏମାନେ ସହାୟତା କରିବା ସହ ଦଲାଲମାନଙ୍କୁ ଲୁଟ୍‌‌ ସୁଯୋଗ ନ ଦେବା ପାଇଁ ଉଦ୍ୟମ କରିବେ ।

ଆୟୁକ୍ତଙ୍କ ନିର୍ଦ୍ଦେଶ ମୁତାବକ, ଏହି ଭଲ୍ୟୁଣ୍ଟିୟର ନିଯୁକ୍ତି ପାଇଁ ଆରଟିଓଗୁଡ଼ିକୁ ଏ, ବି ଓ ସି ବର୍ଗରେ ଭାଗ କରାଯାଇଛି । ସମସ୍ତ ବିଭାଗରେ ୯୦ଦିନ ପାଇଁ ନିଯୁକ୍ତି କରାଯିବାକୁ ଯୋଜନା ହୋଇଛି। ଏ ବର୍ଗର ଆରଟିଓରେ ୧୨ଜଣ(୬ ଯୋଡ଼ା)ଙ୍କୁ ୩ ମାସ ପାଇଁ ୯୦ ହଜାର ଟଙ୍କା, ‘ବି’ ବର୍ଗରେ ୮(୪ ଯୋଡ଼ା)ଙ୍କୁ ୩ ମାସ ପାଇଁ ୬୦ ହଜାର ଟଙ୍କା ଓ ‘ସି’ ବର୍ଗରେ ୪ ଜଣ(ଦୁଇଯୋଡ଼ା)ଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ଏଥିରେ ପୋଷାକ ସହ ଭତ୍ତା ରହିଛି। ଏମାନେ ସର୍ବାଧିକ ୩ ଘଣ୍ଟା(୧୧ଟାରୁ ୨ଟା) ଲେଖାଏଁ ଡ୍ୟୁଟି କରିବେ ।

ଏହାଛଡ଼ା ଯେଭଳି ଅଧିକ ସମୟ କାମ ନ କରିବେ, ସେ ନେଇ ଅଧିକାରୀ ଦୃଷ୍ଟି ରଖିବେ । ଭଲ୍ୟୁଣ୍ଟିୟରମାନେ ପାଠପଢ଼ା ଛଡ଼ା ଅନ୍ୟ ସମୟରେ କାମ କରିବେ। ଏହି ଅର୍ଥ ସେମାନଙ୍କୁ ନଗଦ ଦିଆନଯାଇ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ । ନିଯୁକ୍ତି ପାଇବା ପରେ ସେମାନଙ୍କୁ ଆରଟିଓମାନେ ବିଭିନ୍ନ କାର୍ଯ୍ୟ ବାବଦରେ ପ୍ରଶିକ୍ଷଣ ପ୍ରଦାନ କରିବେ; ଯାହାଦ୍ବାରା ଆରଟିଓକୁ ଆସୁଥିବା ଲୋକମାନଙ୍କୁ ସେମାନେ ସହାୟତା କରିପାରିବେ । ତା’ ସହ ସଡ଼କ ସୁରକ୍ଷା ବାବଦରେ ସେମାନେ ଲୋକଙ୍କୁ ‌ସଚେତନ କରିପାରିବେ । ପରିଚୟପତ୍ର, ଦୁଇହଳ ପୋଷାକ, ଜୋତା ପାଇଁ ୩ ହଜାର ଟଙ୍କା ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.