ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେବା ମନା ! ଆରମ୍ଭ ହେଲା ଅଭିଯାନ

50

କନକ ବ୍ୟୁରୋ : ଆଜିକାଲି ଲୋକମାନେ ସେଲ୍ଫି ମାୟାରେ ବାୟା । ସେଲ୍ଫ ନେବା ପାଇଁ କିଛି ବି କରିବା ପାଇଁ ପଛଉ ନାହାନ୍ତି ଲୋକେ ।  ସଂପ୍ରତି ସେଲ୍ଫିମାନିଆ ମଣିଷର ନିତିଦିନିଆ ସଉକରେ ପରିଣତ ହୋଇଛି। ଏମିତି କି ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେବାକୁ ମଧ୍ୟ ଅନେକ ଆଗଭର ହେଉଛନ୍ତି । କିନ୍ତୁ ଏହାର ପରିଣତି ଯେ ଜୀବନ ଘାତକ, ତାହା ସେମାନେ ନଜରଅନ୍ଦାଜ କରି ଦେଉଛନ୍ତି । ନିକଟରେ ହାତୀ ସହ ସେଲ୍ଫି ନେବା ସମୟରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ବିଷାକ୍ତ ସାପ ସହ ଅନେକ ସମୟରେ ସେଲ୍ଫି ନେବାର ପାଗଳାମି ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ସାପ ଉଦ୍ଧାରକାରୀ ଏବଂ ସାପ ନିକଟରେ ନିଜକୁ ଫଟୋ ଭିତରେ ଦେଖିବାର ପାଗଳାମି ସେମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନେବାର ଆଶଙ୍କା ରହିଛି। ଏହିଭଳି ଏକ ବିପଦଜନକ ସେଲ୍ଫି ପାଗଳାମି ବିରୋଧରେ ଆଜିଠୁ ଏକ ଆନ୍ଦୋଳନର ମୂଳଦୁଆ ପଡ଼ିଛି ।

ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଆରମ୍ଭ ହୋଇଛି ‘ନୋ ସେଲ୍ଫି ଓ୍ଵିଥ୍ ଓ୍ଵାଇଲ୍ଡ ଲାଇଫ୍’ । ଏଥିରେ ହିଂସ୍ରଜନ୍ତୁଙ୍କ ପାଇଁ କାମ କରୁଥିବା ୮୦ଜଣ କର୍ମୀ ଏହି ନିଆରା ଅଭିଯାନରେ ସାମିଲ୍ ହୋଇଛନ୍ତି । ଆଜି କଳିଙ୍ଗ ବିହାରସ୍ଥିତ ଏମ୍ସିଏଲ୍ ଉଦ୍ୟାନରେ ଏନେଇ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ନନ୍ଦନକାନନର ଉପ-ବନସଂରକ୍ଷକ କେଏଲ୍ ପୁରୋହିତ ସାମିଲ୍ ହୋଇ କହିଲେ, ବିଶେଷକରି ଯୁବପିଢ଼ି ସୋସିଆଲ୍ ମିଡିଆରେ ନିଜର ପ୍ରଚାର ପ୍ରସାର ପାଇଁ ଏହି ସେଲ୍ଫି ମାୟାରେ ପଡ଼ିଛନ୍ତି । ତେବେ ଓ୍ଵାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ଇନ୍ ଇଣ୍ଡିଆ ପକ୍ଷରୁ ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେବା ନିଷିଦ୍ଧ କରାଯାଇଥିବା ବିଷୟରେ ସେମାନେ ସଚେତନ ରହିବା ଉଚିତ୍ ।

ସିଟି ଫରେଷ୍ଟ୍ ଡିଭିଜନରେ ସହ ବନସଂରକ୍ଷକ ଅଶୋକ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ହିଂସ୍ରଜନ୍ତୁ ଆକ୍ରମଣରେ ମୃତ୍ୟୁଜନିତ ସହାୟତା ରାଶି ପ୍ରଦାନ କରାଯାଉଥିଲେ ହେଁ ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେଇ ମୃତ୍ୟୁ ହେଲେ, ସେଥିନିମନ୍ତେ ସହାୟତା ମିଳିବ ନାହିଁ । କ୍ୟାପିଟାଲ୍ ହସ୍ପିଟାଲ୍ର (ମେଡିସିନ୍) ଡାକ୍ତର ନିରଂଜନ ପାଢ଼ୀ ସାପ ଓ ଅନ୍ୟ ସରୀସୃପ ସଂସ୍ପର୍ଶରେ ଆସିବା ଯୋଗୁଁ ବ୍ୟାପୁଥିବା ବିଭିନ୍ନ ରୋଗ ସମ୍ପର୍କରେ କହିଥିଲେ । ଭୁବନେଶ୍ୱର ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଏହି ଆନ୍ଦୋଳନରେ ସାମିଲ୍ ହେବା ପାଇଁ କର୍ମୀମାନଙ୍କୁ ଆହ୍ଵାନ କରିଥିଲେ ।  ସ୍ନେକ୍ ହେଲପ୍ ଲାଇନରେ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଥିଲେ, ହିଂସ୍ରଜନ୍ତୁଙ୍କ ସହ ସେଲ୍ଫି ନେବା ଦ୍ୱାରା କେବଳ ମଣିଷ ନିଜ ପାଇଁ ବିପଦ ଡାକୁନାହିଁ ବରଂ ଏହାଦ୍ୱାରା ସେଇ ହିଂସ୍ରଜନ୍ତୁମାନେ ମଧ୍ୟ ନିର୍ୟାତିତ ହେଉଛନ୍ତି । ତେଣୁ ଏହି ଆନ୍ଦୋଳନରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।