କଟକଣା ପାଇଁ ଓଡିଶା ବାହାରେ ଅଟକିଛନ୍ତି ଓଡିଆ : ସୋମନାଥରେ ଫଶିଛନ୍ତି ତୀର୍ଥ ଯାତ୍ରୀ, ହାଇଦ୍ରାବାଦରୁ ଆସିପାରୁନାହାନ୍ତି ଛାତ୍ରଛାତ୍ରୀ

1,941

କନକ ବ୍ୟୁରୋ : ଦେଶରେ ତାଲା ବନ୍ଦ ଲାଗୁ ହେବା ଫଳରେ ରାଜ୍ୟ ବାହାରେ ଥିବା ଓଡିଆମାନେ ବିଭିନ୍ନ ସ୍ଥାନରେ ଫଶି ରହିଛନ୍ତି । ସେମାନଙ୍କୁ ମୁକୁଳାଇବା ପାଇଁ ଭିଡିଓ ମେସେଜ ଜରିଆରେ ସେମାନେ ବାର୍ତା ପଠାଇବାରେ ଲାଗିଛନ୍ତି । ସୋମନାଥକୁ ତୀର୍ଥରେ ଯାଇଥିବା କିଛି ଯାତ୍ରୀ ସେଠାରେ ଫଶି ରହିଛନ୍ତି । ତାଲାବନ୍ଦ ଫଳରେ ସେମାନେ ଆଉ ଫେରିପାରୁ ନାହାଁନ୍ତି । ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ଏମାନେ ସବୁ ସୋର, ବାସୁଦେବପୁର, ଖଇରା ଓ ଶିମୁଳିଆ ଅଂଚଳର ବୋଲି ଜଣାପଡିଛି ।

ସେପଟେ ହାଇଦ୍ରାବାଦରେ ରହୁଥିବା ଓଡିଆ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏକ ଭିଡିଓ ମେସେଜରେ ସେମାନେ କହିଛନ୍ତି, ସେମାନେ ହାଇଦ୍ରାବଦର ଏସଏନ ନଗରରେ ରହୁଛନ୍ତି । ଏବେ ସେମାନଙ୍କ ହଷ୍ଟେଲ ବନ୍ଦ ହେବାକୁ ଯାଉଛି । ସେମାନେ କହିଛନ୍ତି ଗତ ୩ ଦିନ ହେଲାଣି, ସେମାନେ ଖାଇବା ପିଇବାରେ ହଇରାଣ ହେଉଛନ୍ତି । ତେଣୁ ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ପଂଜାବରେ କର୍ଫ୍ୟୁ ଲାଗିଥିବାରୁ ଫଶିଯାଇଛନ୍ତି ଢେଙ୍କାନାଳ ଗେଙ୍ଗୁଟିଆର ଏକ ପରିବାର । ପ୍ରଦୀପ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ନିଜ ପୁଅର କିଡନୀ ପ୍ରତିରୋପଣ ପାଇଁ ପୁରା ପରିବାର ସହ ଗତ ମାର୍ଚ୍ଚ ୧୧ ତାରିଖରେ ପଂଜାବ ଯାଇଥିଲେ । ହେଲେ ପଂଜାବରେ କର୍ଫ୍ୟୁ ଲାଗିବା ପରେ ତାଙ୍କ ପୁଅର ଚିକିତ୍ସା ମଧ୍ୟ ହୋଇପାରିନାହିଁ । ଏକ ଭିଡିଓ ମେସେଜ ଜରିଆରେ ସେ ଅନୁରୋଧ କରିଛନ୍ତି, ତାଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ।