କ୍ରିକେଟକୁ କଳଙ୍କିତ କରିଥିବାରୁ କଠୋର ହେଲେ ସ୍ମିଥଙ୍କ ବାପା ! ଗ୍ୟାରେଜରେ ଫିଙ୍ଗିଦେଲେ କ୍ରିକେଟ ସରଂଜାମ

27

କନକ ବ୍ୟୁରୋ : କ୍ରିକେଟକୁ କଳଙ୍କିତ କରିଥିବା ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ ସ୍ମିଥଙ୍କ ବାପା ପିଟରଙ୍କ କଠୋର ପଦକ୍ଷେପ । ପୁଅର କ୍ରିକେଟ ସରଂଜାମକୁ ଗ୍ୟାରେଜରେ ଫିଙ୍ଗିଦେଲେ ପିଟର । ଏଭଳି ଭିଡିଓ ଫୁଟେଜ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ବଲ ଟାମ୍ପରିଂ ଅଭିଯୋଗରେ ଷ୍ଟିଭ ସ୍ମିଥଙ୍କ ବିରୋଧରେ କ୍ରିକେଟ ଅଷ୍ଟ୍ରେଲିଆ ଗୋଟିଏ ବର୍ଷ ପାଇଁ ବ୍ୟାନ ଲଗାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ସ୍ମିଥ କାନ୍ଦିକାନ୍ଦି କ୍ଷମା ମାଗିବା ସମୟରେ ଉପସ୍ଥିତ ଥିଲେ ବାପା ପିଟର । ଏହାପରେ ପିଟର ସ୍ମିଥଙ୍କ କାରରୁ ତାଙ୍କର ସମସ୍ତ କ୍ରିକେଟ କିଟ କାଢି ଗାଡି ଗ୍ୟାରେଜରେ ଫିଙ୍ଗିଦେଇଛନ୍ତି । ସ୍ମିଥ ତାଙ୍କ ଭୁଲ ପାଇଁ ପଶ୍ଚାତାପ କରୁଥିବାବେଳେ ସେ ପୁଣି ନିଜ ଭୁଲ ସୁଧାରି କ୍ରିକେଟ ପଡିଆକୁ ଫେରିଆସିବେ ବୋଲି ଆଶା ପ୍ରକାଶ କରିଛନ୍ତି ବାପା ପିଟର ।

ଉଲ୍ଲେଖନୀୟ, କେପଟାଉନରେ ଦକ୍ଷିଣଆଫ୍ରିକା ବିରୋଧରେ ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଓପନର କେମରନ୍ ବେନକ୍ରାଫ୍ଟ ବଲ ଟାମ୍ପରିଂ କରୁଥିବା ବେଳେ ଧରାପଡିଥିଲେ । ମ୍ୟାଚ ଚାଲିଥିବା ସମୟରେ ବେନକ୍ରାଫ୍ଟ ନିଜ ଟ୍ରାଉଜରରୁ ଏକ ହଳଦିଆ ରଙ୍ଗର ବସ୍ତୁ କାଢୁଥିବାର ଦେଖା ଯାଇଥିଲା । ଏହି ଘଟଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍ ବଲ ଟାମ୍ପରିଂ କରାଯାଇଥିବା ଘଟଣାକୁ ସ୍ୱୀକାର କରିଥିଲେ । ଏହି ଘଟଣାର କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ସରକାର ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ରିକ୍ ଇନଫୋ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମେଲକମ୍ ଟର୍ନବୁଲ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ ଏବଂ ନିରାଶଜନକ ବୋଲି କହିଥିଲେ । ଏହି ଘଟଣାରେ ସେ ନିରାଶ ହୋଇଥିବା କହିଥିଲେ । ଏହା ବିଶ୍ୱାସର ଅତ୍ୟନ୍ତ ବାହାରେ ଯେ, ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଏପରି ଲଜ୍ଜାଜନକ ଘଟଣାରେ ସାମିଲ ଅଛି ।

ତେବେ ବଲ ଟାମ୍ପରିଂ ଅଭିଯୋଗରେ କ୍ରିକେଟରୁ ବାସନ୍ଦ ହେବାପରେ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ । ନିଜ ଭୁଲ ସ୍ୱୀକାର କରିବା ସହ କ୍ଷମା ମଧ୍ୟ ମାଗିଥିଲେ । ଏପରିକି ଦୂରଦୃଷ୍ଟି ଅଭାବରୁ ସେ ନେଇ ଥିବା ନିଷ୍ପତି ଭୁଲ ଥିବା ସ୍ମିଥ ଗଣମାଧ୍ୟମ ଆଗରେ ମାନିଥିଲେ ।