ଆନ୍ଧ୍ର ପରେ ଓଡିଶା ଦୋହରାଇଲା ସ୍ୱତନ୍ତ୍ର ପାହ୍ୟା ଦାବି ! ସ୍ୱାସ୍ଥ୍ୟ ସୁରକ୍ଷା ନେଇ ମୋଦିକୁ ଚିଠି ଲେଖି ନବୀନ ରଖିଲେ ଆଭିମୁଖ୍ୟ

53

କନକ ବ୍ୟୁରୋ : ପୁଣି ଜୋର ଧରିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ । ନୀତି ଆୟୋଗ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଲେଖିଥିବା ଚିଠିରେ ଏହି ଦାବିକୁ ଦୋହରାଇଛନ୍ତି । ଚିଠିରେ ଲେଖିଛନ୍ତି ରାଜ୍ୟର ଜନସଂଖ୍ୟାର ବଡ ଭାଗ ହେଉଛନ୍ତି ଅନୁସୂଚିତ ଜନଜାତି ଓ ଜାତି ବର୍ଗର୍ର ଲୋକେ । କେବଳ ସେତିକି ନୁହେଁ, ରାଜ୍ୟ ବାରମ୍ବାର ବିଭିନ୍ନ ବିପର୍ୟ୍ୟୟକୁ ସାମ୍ନା କରୁଛି । ଏହି ଦୃଷ୍ଟିରୁ ରାଜ୍ୟକୁ ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ ପାହ୍ୟା ପାଇବାକୁ ଓଡିଶା ଯୋଗ୍ୟ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ଓଡିଶାକୁ କେନ୍ଦ୍ରୀୟ ସହାୟତା ରାଶି ବୃଦ୍ଧି ପାଇବ । ଫଳରେ ରାଜ୍ୟର ଚାଲିଥିବା ଉନ୍ନୟନମୂଳକ କାର୍ୟ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନା, ଓଡ଼ିଶାକୁ ଆସିବ ନା ନାହିଁ ସେ ନେଇ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ନବୀନ କହିଛନ୍ତି ଆୟୁଷ୍ମାନ ଯୋଜନାରେ ଓଡିଶାରୁ ବାଦ ପଡୁଥିବା ୮ଲକ୍ଷ ପରିବାରକୁ କେନ୍ଦ୍ର ସରକାର ଯୋଜନାଭୁକ୍ତ କଲେ ଓଡିଶା ଏହି ଯୋଜନାରେ ସାମିଲ ହେବ ।

କେନ୍ଦ୍ରୀୟ ବଜେଟ୍‌ରେ ଶସ୍ୟଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେଢ଼ଗୁଣ ବୃଦ୍ଧି କରିବାକୁ ଯେଉଁ ଘୋଷଣା କରାଯାଇଛି, ମୁଖ୍ୟମନ୍ତ୍ରୀ ତା’କୁ ସ୍ୱାଗତ କରିଛନ୍ତି । ତାଙ୍କ ମତରେ ଫସଲର ଉତ୍ପାଦନ ମୂଲ୍ୟ ଆକଳନ ବେଳେ ଚାଷୀଙ୍କ ପ୍ରକୃତ ଉତ୍ପାଦନ ଖର୍ଚକୁ ବିଚାରକୁ ନିଆଯିବା ଉଚିତ । ଏ ନେଇ କିପରି ନିୟମାବଳୀ ପ୍ରସ୍ତୁତ ହେଉଛି ସେ ନେଇ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଚାଷୀଙ୍କୁ ବିଭିନ୍ନ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଜାତୀୟ ସ୍ତରରେ ଋଣଛାଡ଼ ନୀତି ପ୍ରସ୍ତୁତ ହେବା କଥା । ଏ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

କୃଷି ପାଇଁ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟ(ସିଜିଟିଏ) ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଏଭଳି ବନ୍ଧକମୁକ୍ତ ଋଣ ବ୍ୟବସ୍ଥାରେ ୫୦ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ କୃଷି ଋଣ ଏବଂ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପ୍ରଦାନ ପ୍ରସ୍ତାବକୁ ବିଚାର କରିବାକୁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କୃଷି କ୍ଷେତ୍ରରେ ବିକାଶ ପାଇଁ ସ୍ୱାମିନାଥନ୍‌ କମିଟି ସୁପାରିସଗୁଡ଼ିକୁ ଯଥାଶୀଘ୍ର ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।ସୂଚନାଯୋଗ୍ୟ ରବିବାର ରାଷ୍ଟ୍ରପତି ଭବନରେ ନୀତି ଆୟୋଗ ପରିଚାଳନା ପରିଷଦର ୪ର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଯୋଗଦାନ କରିନାହାନ୍ତି ।