ରଙ୍ଗୀନ ଆଲୁଅରେ ଝଲସୁଛି ରାଜଧାନୀ ! ଭୁବନେଶ୍ୱର ଚାରିଆଡ଼େ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା

377

କନକ ବ୍ୟୁରୋ : ରଙ୍ଗୀନ ଆଲୁଅରେ ଆଲୋକିତ ହୋଇଯାଇଛି ପୁରା ରାଜଧାନୀ । ବିଡ଼ିଏର ଆଲୋକ ଭାସ୍କର୍ଯ୍ୟ ପ୍ରକଳ୍ପ ଯୋଗୁଁ ରଙ୍ଗୀନ ଆଲୁଅରେ ରଙ୍ଗେଇ ହୋଇଛି ଭୁବନେଶ୍ୱର । ରାଜଧାନୀର ୩ଟି ମୁଖ୍ୟ ଫ୍ଲାଏଓଭର ବାଣୀବିହାର, ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାରର ସମେତ କିଛି ପାର୍କ, ପୁରୁଣା ଭୁବନେଶ୍ୱରର ୧୭ଟି ମନ୍ଦିର ପାଇଁ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି । ଏହି ସବୁ ସ୍ଥାନ ଗୁଡ଼ିକରେ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା କରାଯାଇଛି । ଜୟଦେବବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ଆଇଜି ପାର୍କ ସମେତ କିଛି ସ୍ଥାନରେ ଏହି ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା ଏବେଠାରୁ ଆରମ୍ଭ ହୋଇଯାଇଛି । ଆଉ କିଛି ସ୍ଥାନରେ କାମ ଚାଲୁ ରହିଛି ।

ଚିକମିକ୍ ଦେଖାଯାଉଛି ଜୟଦେବ ବିହାର, ଆଚାର୍ଯ୍ୟବିହାର, ବାଣୀବିହାର ଛକ । ଚାରିଆଡ଼େ ବିଚ୍ଛୁରିତ ହେଉଛି ଆଲୁଅ । ଖୁବ୍ ସୁନ୍ଦର ଦେଖାଯାଉଛି ରାଜଧାନୀ ଭୁବନେଶ୍ୱର । ସବୁଦିନ ଦେଖୁଥିବା ଭୁବନେଶ୍ୱର ପୁରା ନୂଆ ନୂଆ ଲାଗୁଛି । ସହର ସାରା ବିଛେଇ ହୋଇଯାଇଛି ଆଲୋକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଡ଼ିଏ ଏପରି ପଦକ୍ଷେପ ନେଇଛି ।

ଜୟଦେବବିହାର, ଆଚାର୍ଯ୍ୟବିହାର, ବାଣୀବିହାର ସାଙ୍ଗକୁ ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମହାତ୍ମାଗାନ୍ଧୀ ପାର୍କ ଏବଂ ଖାରବେଳ ପାର୍କ ମଧ୍ୟ ଏହି ପ୍ରକଳ୍ପ ଯୋଗୁଁ ଆଲୋକମାଳାରେ ସଜେଇ ହୋଇଛି । ଏହା ବ୍ୟତୀତ ପୁରୁଣା ଭୁବନେଶ୍ୱରର ଅନନ୍ତବାସୁଦେବ ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମର୍କତେଶ୍ୱର ମନ୍ଦିର, ପାପନାଶିନୀ ଓ ମୈତ୍ରେଶ୍ୱର ମନ୍ଦିର,ଦ୍ୱାରାଭଶାଣୀ ଆଦି ମନ୍ଦିର ଗୁଡ଼ିକରେ ଖୁବ ଶୀଘ୍ର ଆଲୋକରେ ସଜେଇ ହୋଇଯିବ ।