କନକ ବ୍ୟୁରୋ : ସପିଂ ମଲ୍ଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ଗାଡ଼ି ପାର୍କିଂ ହୋଇପାରିବ, ଟ୍ରାଫିକ ସମସ୍ୟା ସୃଷ୍ଟି ହେବନି, ସବୁଠି ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ରହିବ ସେଥିପାଇଁ ବିଡିଏ ପକ୍ଷରୁ ସପିଂ ମଲ୍ ନିର୍ମାଣ ସମୟରେ ପାର୍କିଂ ପାଇଁ ନିର୍ମାଣ ହେଉଥିବା ଅଞ୍ଚଳ ବାବଦକୁ କୌଣସି ଫି’ ନିଆଯାଉନି । ଏପରିକି ମଲ୍ର ମୋଟ୍ ନିର୍ମାଣ ହିସାବରେ ପାର୍କିଂ ଅଞ୍ଚଳକୁ ଅତିରିକ୍ତ ଭାବେ ଯୋଡ଼ା ଯାଉଛି । ହେଲେ ରାଜଧାନୀର ସମସ୍ତ ସପିଂ ମଲ୍ ଏବେ ଗ୍ରାହକଙ୍କୁ ଲୁଟିବା ପାଇଁ ଗାଡ଼ି ପାର୍କିଂ ବାବଦକୁ ଫି’ ଆଦାୟ କରୁଛନ୍ତି । ରାଜଧାନୀର ପ୍ରାୟ ୧୦ରୁ ଅଧିକ ସପିଂ ମଲ୍ ଏବେ ଖୋଲାଖୋଲି ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଥିବାରୁ ଏବେ ରାଜରାସ୍ତାରେ ବେଆଇନ ପାର୍କିଂ ବଢ଼ିବାରେ ଲାଗିଛି ।
ରାଜଧାନୀରେ ଯେଉଁଭଳି ରାସ୍ତାର ଓସାର ଅଛି, ଯେତିକି ଗାଡ଼ି ଚଳାଚଳ କରୁଛି ସେଥିରେ କୌଣସି ସ୍ଥାନରେ ଟ୍ରାଫିକ୍ ଜାମ୍ ହେବାର ସମ୍ଭାବନା ନାହିଁ । ହେଲେ ସ୍ଥିତି ଓଲଟା । ଜନପଥରୁ ଆରମ୍ଭ କରି କଟକରୋଡ୍ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଟ୍ରାଫିକ ଜାମ୍ ହେଉଛି । ସବୁଠୁ ଅଧିକ ଜାମ୍ ତ ସପିଂ ମଲ୍ ସମ୍ମୁଖରେ ହେଉଛି । ତାହା ପୁଣି ବେଆଇନ୍ ପାର୍କିଂ ପାଇଁ। ଯାହା ରାଜଧାନୀବାସୀଙ୍କ ଜୀବନ ଦୁର୍ବିସହ କରିଦେଲାଣି । ମଲ୍ ସମ୍ମୁଖରେ ୧୦୦ମିଟର ପର୍ଯ୍ୟନ୍ତ ରାସ୍ତାକୁ ଅତିକ୍ରମ କରିବାକୁ ୧୦ରୁ ୧୫ମିନିଟ ଲାଗି ଯାଉଛି । ବେଳେବେଳ ତ ଏହା ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି ।
ବିଡିଏର ନିୟମ ଅନୁଯାୟୀ, ରାଜଧାନୀରେ ସପିଂ ମଲ୍ ନିର୍ମାଣ ସମୟରେ ବିଡିଏରେ ଯେତେବେଳେ ପ୍ଲାନ୍ ପାଇଁ ସଂସ୍ଥା/ ବ୍ୟକ୍ତିଙ୍କ ପକ୍ଷରୁ ଆବେଦନ କରାଯାଉଛି ସେଥିରେ ପାର୍କିଂ ପାଇଁ ମୋଟ୍ ନିର୍ମାଣର ୫୦% ଜାଗା ଛାଡ଼ିବାକୁ କୁହାଯାଉଛି । ଅର୍ଥାତ୍ ଯେତିକି ଅଞ୍ଚଳରେ ମଲ୍ ଖୋଲିବ ତା’ର ଅଧା ଅଞ୍ଚଳରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ରହିବ । ବ୍ୟାବସାୟିକ ପ୍ରତିଷ୍ଠାନକୁ ସାଧାରଣ ଲୋକ ଆସିବାକୁ ଥିବାରୁ ସେମାନଙ୍କୁ ସେବା ଯୋଗାଇବା ପାଇଁ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏହାକୁ କରାଯାଇଛି । ତେଣୁ ବିଡିଏ ଉକ୍ତ କୋଠା ନିର୍ମାଣର ଫ୍ଲୋର୍ ଏରିଆ ରେସିଓ (ଏଫ୍ଏଆର୍) ପାଇଁ ଯେଉଁ ଦେୟ ନିଏ ସେଥିରେ ପାର୍କିଂ ପାଇଁ ନିର୍ମାଣ ହୋଇଥିବା ଅଞ୍ଚଳର ଏଫ୍ଏଆର୍ ବାବଦକୁ ଫି’ ନିଏ ନାହିଁ । ଏପରିକି ଏହା ଅତିରିକ୍ତ ଏଫ୍ଏଆର୍ ହିସାବରେ ଗଣତି ହୁଏ ।
ବିଡିଏ ସାଧାରଣ ଲୋକଙ୍କ ସୁବିଧା ପାଇଁ, ରାସ୍ତାରେ ବେଆଇନ ପାର୍କିଂ ନହେବା ପାଇଁ ସପିଂ ମଲ୍ଗୁଡ଼ିକୁ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ଛାଡ଼ କରୁଥିବାବେଳେ ଅଧିକ ନିର୍ମାଣ କରିବାକୁ ନିୟମ କରିଛି । ହେଲେ ସପିଂ ମଲ୍ଗୁଡ଼ିକ ଏହି ନିୟମ ମାନୁନାହାନ୍ତି । ସବୁଠି ଲୋକଙ୍କୁ ଶୋଷଣ କରାଯାଉଛି। ଫଳରେ ଲୋକମାନେ ରାସ୍ତା ଉପରେ ବେଆଇନ୍ ପାର୍କିଂ କରୁଛନ୍ତି । ଯାହା ରାଜଧାନୀର ଏକ ବଡ଼ ସମସ୍ୟା ପାଲଟି ଯାଇଛି ।
ଆଶ୍ଚର୍ଯ୍ୟର ବିଷୟ ରାଜଧାନୀର ବହୁ ସପିଂ ମଲ୍ର ବେସ୍ମେଣ୍ଟରେ ପାର୍କିଂ ପାଇଁ ଜାଗା ଥିବାବେଳେ ସେଥିରୁ ଅଧିକାଂଶ ଗୋଦାମ ଘର ଭାବେ ବ୍ୟବହାର ହେଉଛି । କେତେକ ସ୍ଥାନରେ ୫୦ଟି କାର୍ ପାର୍କିଂ ପାଇଁ ବ୍ୟବସ୍ଥା ଥିବାବେଳେ ସେଠାରେ ଦୋଷ ଛଡ଼ାଇବା ପାଇଁ ୫ରୁ ୭ଟି କାର୍ ପାର୍କିଂ ପାଇଁ ଜାଗା ଛାଡ଼ି ବାକି ସ୍ଥାନରେ ଗୋଦାମ ଘର କରିଦିଆଯାଇଛି । ଆଉ କିଛି ସ୍ଥାନରେ ଏମିତି ଜାଗା ଛଡ଼ା ଯାଇଛି ଯେ, ଗାଡ଼ି ଥରେ ପୂରାଇଲେ ବାହାର କରିବା କଷ୍ଟକର ହୋଇଯାଉଛି ।
ଗାଡ଼ି ବାହାର କଲା ବେଳକୁ ଆଗ ପଟ ନଚେତ୍ ପଚ ପଟ ଘଷି ହୋଇ ଭାଙ୍ଗି ଯାଉଛି । ଫଳରେ ଲୋକ ଭୟରେ ଏହା ଭିତରେ ଗାଡ଼ି ପୂରାଉ ନାହାନ୍ତି । ଅଧିକ ପାର୍କିଂ ଫି’ ଏବଂ ଗାଡ଼ି ନଷ୍ଟ ହେବାର ଭୟରେ ଲୋକ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି । ବେଆଇନ ପାର୍କିଂ ନହେବା ପାଇଁ ରାଜଧାନୀର ବିଭିନ୍ନ ହୋଟେଲ, ସିନେମା ହଲ୍ ମାଗଣାରେ କାର୍ ପାର୍କିଂ କରାଉଥିବାବେଳେ ସପିଂ ମଲ୍ଗୁଡ଼ିକ କାହିଁକି ମାଗଣାରେ ପାର୍କିଂ ପାଇଁ ସୁବିଧା ନଯୋଗାଇବେ ବୋଲି ପ୍ରଶ୍ନ ଉଠିଲାଣି ।