ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦିଲ୍ଲୀରୁ ମୁମ୍ବାଇ ହଲଚଲ : କଂଗ୍ରେସର ନିଷ୍ପତି ପରେ ଚୂଡାନ୍ତ ଫଇସଲା

488

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦିଲ୍ଲୀୁରୁ ମୁମ୍ବାଇ ହଲଚଲ । ସରକାର ଗଢ଼ିବାକୁ ଶିବସେନାର ଜୋରଦାର କସରତ । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏକ ହୋଟେଲରେ ଉଭୟଙ୍କ ମଧ୍ୟରେ ହୋଇଛି ଆଲୋଚନା । ଏହି ଆଲୋଚନା ସମୟରେ ଶରଦଙ୍କ ପୁତୁରା ତଥା ଏନସିପି ନେତା ଅଜିତ୍ ପାୱାର ମଧ୍ୟ ଉପସ୍ଥିତ ଥିଲେ । ତେବେ କଂଗ୍ରେସର ନିଷ୍ପତିକୁ ଶିବସେନା ଅପେକ୍ଷା କରିଛି । ଅପରାହ୍ନ ୪ଟା ପରେ କଂଗ୍ରେସ ବୈଠକ ପରେ ଏନେଇ ଔପଚାରିକ ଘୋଷଣା ହୋଇପାରେ । ଏହାପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିପାରନ୍ତି ଶିବସେନା ନେତା । ସରକାର ଗଢିବା ପାଇଁ ବିଜେପି ଅକ୍ଷମତା ପ୍ରକାଶ କରିବା ପରେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବଡ ଦଳ ଭାବେ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଏବଂ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ କରିବାକୁ ରାଜ୍ୟପାଳ କହିଛନ୍ତି ।

ସେପଟେ କଂଗ୍ରେସ ସହ ମିଶି ନିଷ୍ପତ୍ତି ନିଆଯିବ ବୋଲି କହିଛି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ଏନସିପି । ମୁମ୍ବାଇରେ ଏନସିପି ବୈଠକ ପରେ ଏହା କହିଛନ୍ତି ଦଳର ନେତା ନୱାବ ମଲ୍ଲିକ । ଏନସିପି କହିଛି, ମହାରାଷ୍ଟ୍ରରେ ସରକାର ଗଠନ ଗଠନ କରିବା ଦଳର ଦାୟିତ୍ୱ । ତେବେ ଶିବସେନା, ଏନସିପି ଓ କଂଗ୍ରେସ ଏକଜୁଟ ନ ହେଲେ ସରକାର ଗଠନ ହୋଇପାରିବ ନାହିଁ । ତେବେ କଂଗ୍ରେସ ସହ ମିଶି ହିଁ ନିଷ୍ପତି ନିଆଯିବ । ତେବେ ଏନସିପିର ଅଧିକଂଶ ବିଧାୟକ ଶିବସେନାକୁ ସମର୍ଥନ ସପକ୍ଷରେ ଅଛନ୍ତି ବୋଲି କହିଛନ୍ତି ନୱାବ । ଆଜି ସକାଳ ଏନସିବି ବୈଠକରେ ଦଳର ମୁଖ୍ୟ ଶରଦ ପାୱାରଙ୍କ ସହ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଅନ୍ୟପଟେ ଭାଙ୍ଗିଲା ବିଜେପି ଓ ଶିବସେନା ମେଂଟ । କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିଲେ ସାୱନ୍ତ । ଇସ୍ତଫା ନେଇ ସେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ ଯାହା କଥାବାର୍ତା ହୋଇଥିଲା । ସେହି ଫର୍ମୁଲାକୁ ମାନୁ ନାହିଁ ବିଜେପି । ଶିବସେନା ସବୁବେଳେ ସତ ସାଥିରେ ରହିଥାଏ । ତେଣୁ ସେ ଇସ୍ତଫା ଦେଇଛନ୍ତି । ଏବଂ ତାଙ୍କ ଇସ୍ତଫା ହିଁ ପ୍ରମାଣ କରୁଛି ବିଜେପି ସହ ଶିବସେନାର ମେଂଟ ଭାଙ୍ଗି ଯାଇଛି ।