ଓଡ଼ିଶା ଗସ୍ତରେ ଆସି ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ନେତା ଶିବରାଜ ସିଂ ଚୌହ୍ୱାନ : କାଳିଆ ଯୋଜନାକୁ ତାତ୍ସଲ୍ୟ କରିବା ସହ କହିଲେ, ଦୁଇ ଦଳ ପାଇଁ ରାଜ୍ୟରୁ ଦାରିଦ୍ର‌୍ୟତା ଦୂର ହେଉନି

467

କନକ ବ୍ୟୁରୋ : ଭୁବନେଶ୍ୱରରେ ବିଜେପି ନେତା ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶିବରାଜ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଛନ୍ତି । କଂଗ୍ରେସ ଓ ବିଜେଡ଼ି ଓଡ଼ିଶାରେ ଦ୍ରାରିଦ୍ର‌୍ୟତାର ମୁଖ୍ୟ କାରଣ । ଓଡ଼ିଶାରେ ଚାଷି ଜମି ଆଉ ଜଳର ଅଭାବ ନାହିଁ । ତଥାପି ଓଡ଼ିଶା କୃଷକମାନେ ଲାଭବାନ ହୋଇପାରୁ ନାହାନ୍ତି । ଏବେ ପର୍ଯ୍ୟନ୍ତ ମାତ୍ର ୩୧ ପ୍ରତିଶତ ଜମିରେ ଜଳସଚନ ସୁବିଧା ହୋଇପାରିଛି । କାଳିଆ ଯୋଜନାକୁ ଶିବରାଜ ତାତ୍ସଲ୍ୟ କରିଛନ୍ତି । କାଳିଆ ଯୋଜନା ଅନୁସାରେ ଚାଷୀଙ୍କୁ ସହାୟତା ପ୍ରଦାନ କରୁଥିବା କହୁଛି ବିଜେଡ଼ି ସରକାର । ହେଲେ କେତେ ଲୋକ ଏହି ଯୋଜନାରେ ଉପକୃତ ହୋଇଛନ୍ତି ତାହା ସ୍ପଷ୍ଟ କରିପାରୁ ନାହାନ୍ତି । କାଳିଆ ଯୋଜନାରେ ୫୭ ଲକ୍ଷ ହିତାଧିକାରୀ ଅଛନ୍ତି ରାଜ୍ୟ କହୁଛି । ହେଲେ କେନ୍ଦ୍ରକୁ ମାତ୍ର ୯ ଲକ୍ଷ ହିତାଧିକାରୀଙ୍କ ତାଲିକା ଦିଆଯାଇଛି । ପିଏମ୍ କିଷାନ ଯୋଜନାରେ କେନ୍ଦ୍ରକୁ ଏଯାଏଁ ରାଜ୍ୟ ସରକାର ତାଲିକା ଦେଇପାରି ନାହାନ୍ତି । ଭାରତ ସରକାରଙ୍କ  ଜନହିତକାରୀ ଆୟୁଷ୍ମାନ ଯୋଜନା ଲାଗୁ  କରୁନାହାନ୍ତି ନବୀନ ସରକାର । ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ଆବଶ୍ୟବ  ।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ପଦ ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶିବରାଜ । ସେ ସିଧାସଳଖ କଂଗ୍ରେସର ସଭାପତି ଚୟନକୁ ନିଶାନା କରିଛନ୍ତି ଶିବରାଜ । ଲୋକ ସଚେତନ ହେଲେଣି । ନିର୍ବାଚନରେ ବଂଶବାଦ ଓ ଜାତିବାଦ ରାଜନୀତିକୁ ମୁହଁ ମୋଡ଼ୁଛନ୍ତି ସାଧାରଣ ଜନତା । ଅନେକ ଆଲୋଚନା ଓ ଘନ ଘନ ବୈଠକ ପରେ ଅଧ୍ୟକ୍ଷ ପଦ ପାଇଁ ପୁଣି କଂଗ୍ରେସ ଗାନ୍ଧୀ ପରିବାରକୁ ଗୁରୁତ୍ୱ ଦେଇଛି । ଗାନ୍ଧୀ ପରିବାରରୁ କଂଗ୍ରେସ ଅଧ୍ୟକ୍ଷ ହେବେନି ବୋଲି ଲୋକ ଦେଖାଣିଆ ପ୍ରଚାର କରୁଥିଲେ । ବିଜେପି ଲୋକଙ୍କ ବିକାଶ ଚାହୁଁଥିବା ବେଳେ କଂଗ୍ରେସ କେବଳ ପରିବାରବାଦ ରାଜନୀତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରେ ।  ଲୋକେ ପରିବାରବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହେଲେ କଂଗ୍ରେସ ପୁଣି ସୋନିଆ ଗାନ୍ଧିଙ୍କୁ ଅଧ୍ୟକ୍ଷ କରିଛି । ଏହା ସହିତ ସେ କାଶ୍ମୀରକୁ ନେଇ ଜବାହାରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି । କାଶ୍ମୀର ସମସ୍ୟାର ଜନକ ହେଉଛନ୍ତି ଜବାହରଲାଲ ନେହେରୁ ବୋଲି ସେ କହିଛନ୍ତି । ନେହେରୁଙ୍କ ‘ଧାରା ୩୭୦’ ଭୁଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଧାରିଛନ୍ତି ।

କେବଳ ଏତିକି ନୁହେଁ ବିଜେଡ଼ି ବିଜେପି ସମ୍ପର୍କ ନେଇ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ୍ୟ ବିଜେପିରେ କୌଣସି ପ୍ରକାର ଦ୍ୱଦ୍ୱ ନାହିଁ । ଆଗାମୀ ସରକାର ଓଡ଼ିଶାରେ ବିଜେପି ହିଁ ଗଢ଼ିବ । ରାଜନୈତିକ ଶିଷ୍ଠଚାର ଓ ରାଷ୍ଟ୍ରହିତ ପାଇଁ ଯିବ ସମର୍ଥନ ଜଣାଇବ ତାକୁ ଆମେ ସମର୍ଥନ ଗ୍ରହଣ କରିବୁ ବୋଲି ସେ ପ୍ରକାଶ କରିଛନ୍ତି ।