କନକ ବ୍ୟୁରୋ : ରାଜଧାନୀରେ ଆଉ ମାତ୍ର ଦିନେ ପରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଭୋଟ୍‌ ହାତେଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି । ନିର୍ବାଚନ ପୂର୍ବରୁ ରାତିରେ ଅଧିକାଂଶ ଅପରାଧ ଓ ଅଘଟଣ, ଟଙ୍କା କାରବାର, ଚୋରାମଦ, ଭୋଜିଭାତ ଆଦି କାର୍ଯ୍ୟକଳାପ ହେବାର ଆଶଙ୍କା କରାଯାଉଛି । ତେଣୁ ନିର୍ବାଚନକୁ କିଭଳି ସୁରୁଖୁରୁରେ କରାଯିବ, କମିସନରେଟ୍‌ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି ।

Advertisment

ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡିସିପି ଅନୁପ ସାହୁ, ସମସ୍ତ ଜୋନ୍‌ ଏସିପି ଓ ଥାନା ଆଇଆଇସିଙ୍କୁ ଡକାଇ ଘନଘନ ବୈଠକ କରାଯାଉଛି । ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଉପୁଜେ, ଯଦି କୌଣସି ପ୍ରକାର ବିଶୃଙ୍ଖଳା ଉପୁଜେ, କିଭଳି ତାକୁ ନିୟନ୍ତ୍ରଣ କରାଯିବ, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି ।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି । ଏଥିପାଇଁ ରାଜଧାନୀର କେତେକ ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ସେହି ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କେତେ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସରିଛି । ବିଶେଷକରି ଭୁବନେଶ୍ବରରେ ୪୯୫ ଭୋଟ ଗ୍ରହଣ କେନ୍ଦ୍ରରେ ୧୧୫୬ଟି ବୁଥ୍‌ ରହିଛି ।

ସେଥିମଧ୍ୟରୁ ୧୮୧ବୁଥ୍‌ ସମ୍ବେଦନଶୀଳ ଓ ୪୪ଟି ଅତ୍ୟନ୍ତ ସମମ୍ବେଦନଶୀଳ ବୁଥ୍‌ ରହିଛି । ଏଥିପାଇଁ ୪୪ଟି ମୋବାଇଲ ଟିମ୍‌ ସହରରେ ପଇଁତରା ମାରିବା ଆରମ୍ଭ କରିଦେଇଛି । ୨୦ଜଣ ସେକ୍ଟର ଅଫିସର, ୧୧ଏସିପି, ୫ଟି ଫ୍ଲାଇଂ ସ୍କ୍ବାଡ୍‌ ଓ ୨୫ଶହ ପୁଲିସ ଫୋର୍ସ ନିଜର ପ୍ରସ୍ତୁତି କରିସାରିଛନ୍ତି । ଏହାଛଡ଼ା ଭୁବନେଶ୍ବରେ ଥିବା ବିଭିନ୍ନ ହୋଟେଲ, ଲଜ୍‌ ଆଦିରେ ଯାଞ୍ଚ କରାଯାଉଛି । ବିଳମ୍ବିତ ରାତିରେ ବିଭିନ୍ନ ଛକ, ସହରର ପ୍ରବେଶ ପଥରେ ବ୍ଲକିଂ କରାଯାଉଛି । ସେହିପରି ଅଭ୍ୟାସଗତ ଅପରାଧୀଙ୍କୁ ୧୧୦ ଦଫା‌ରେ ଗିରଫ କରିବାକୁ ସମସ୍ତ ଥାନା ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।