ବଡ ମେଡିକାଲ ଡାକ୍ତରଙ୍କର ଛୋଟ ହୃଦୟ ! ପ୍ରେସକ୍ରିପସନ ଚିରି ଗୋଡରେ ଦଳିଲେ

31

କନକ ବ୍ୟୁରୋ : ଡାକ୍ତରଙ୍କ ଦାଦାଗିରି । ସାମାନ୍ୟ କଥାରେ ରୋଗୀକୁ ମାଡ ମାରିବା ସହ ଗୋଡରେ ଦଳିଦେଲେ ଡାକ୍ତର । ଏଭଳି ସଂଗୀନ ଅଭିଯୋଗ ଆସିଛି କଟକ ବଡ ମେଡିକାଲରୁ । ଜଣେ ଡାକ୍ତରଙ୍କ ରୋଗୀ ପ୍ରତି ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯିବା ସହ ଏସିସିବି ଅଧୀକ୍ଷକ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଥିବା ଜଣାପଡିଛି ।

ପୁଣି କଟକ ବଡ ମେଡିକାଲ ଡାକ୍ତରଙ୍କ ବିରୋଧରେ ଆସିଲା ଦୁର୍ବ୍ୟବହାର ଅଭିଯୋଗ । ପ୍ରେସକ୍ରିପସନ ଚିରିବା ସହ ରୋଗୀଙ୍କୁ ତଳେ ପକାଇ ଗୋଡରେ ଦଳିଦେବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରଗଡ ସୋହେଲାର ଲକ୍ଷ୍ମଣ ଦୀପ । ନେଫ୍ରୋଲୋଜି ବିଭାଗର ଡାକ୍ତର ଚିତରଞ୍ଜନ କର ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀପ କିଡନି ରୋଗରେ ଆକ୍ରାନ୍ତ । ତାଙ୍କର ଔଷଧ ସରିଯାଇଥିବାବେଳେ ରୋଗ ଭଲ ହେଉନଥିବାରୁ ଡାକ୍ତରଙ୍କଠାରୁ ପରାମର୍ଶ ଚାହୁଁଥିଲେ । ଏନେଇ ଡାକ୍ତର ଚିତରଞ୍ଜନଙ୍କୁ କହିବାରୁ ସେ ଉତକ୍ଷିପ୍ତ ହୋଇପଡିଥିଲେ । ଏପରିକି ତାଙ୍କୁ ଚାପୁଡା ମାରିବାରୁ ରୋଗୀ ଜଣକ ତଳେ ପଡିଯାଇଥିବା ଅଭିଯୋଗ କରିଛନ୍ତି ।

ଏନେଇ ରୋଗୀ ଜଣକ ମେଡିକାଲ ସୁପରିନଟେଣ୍ଡେଂଟଙ୍କୁ ଫେରାଦ ହେବା ପରେ ଦୁହିଁଙ୍କୁ ଡାକି ଆପୋଷ ଆଲୋଚନା କରାଇଥିଲେ ମେଡିକାଲ ସୁପରିନଟେଣ୍ଡେଂଟ । ତେବେ ଜଣେ ରୋଗୀଙ୍କୁ ଡାକ୍ତରଙ୍କ ଏଭଳି ଦୁର୍ବ୍ୟବହାରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଡାକ୍ତର ଚିତରଞ୍ଜ କର କହିଛନ୍ତି ରୋଗୀଜଣକ ତାଙ୍କୁ ବାରମ୍ବାର ଗୋଟିଏ କଥା କହି ବିରକ୍ତ କରିଦେବାରୁ ସେ ଉତକ୍ଷିପ୍ତ ହୋଇପଡିଥିଲେ । କଟକ ବଡ ମେଡିକାଲ ଉପରେ ଉପକୂଳରୁ ଉପାନ୍ତ ଜିଲ୍ଲାର ହଜାର ହଜାର ଗରିବ ରୋଗୀ ଏହା ଉପରେ ନିର୍ଭର କରନ୍ତି । ଡାକ୍ତରଙ୍କ ଉପରେ ଆସ୍ଥା ରଖି ରୋଗ ଭୋଲ କରିବାକୁ ଧାଇଁ ଆସନ୍ତି । ହେଲେ ସେହି ଡାକ୍ତରଙ୍କ ଜଣେ ନିରୀହ ରୋଗୀଙ୍କ ଉପରେ ଏଭଳି ରାଗ ହଜାର ହଜାର ରୋଗୀଙ୍କ ଆସ୍ଥାକୁ ଦୋହଲାଇଦେଇଛି ।