କନକ ବ୍ୟୁରୋ : ବରିଷ୍ଠ ନେତା ସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି । ରାଜ୍ୟ ସଭାପତି ଭାବେ ଆନୁଷ୍ଠାନିକ ଭାବେ ଦାୟିତ୍ବ ନେଲେ ସମୀର ମହାନ୍ତି । ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଦାୟିତ୍ବ ନେଲେ ସମୀର । ରାଜ୍ୟ ବିଜେପିର ୯ମ ରାଜ୍ୟ ସଭାପତି ସମୀର ମହାନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବରେ ସେ ଦାୟତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ସମର୍ଥକଙ୍କ ସହ ଏକ ବିରାଟ ରାଲିରେ ଲିଙ୍ଗରାଜ ମନ୍ଦିର ରାଲିରେ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି ସମୀର ମହାନ୍ତି ।

Advertisment

publive-image

ବିଜେପିର ନବନିର୍ବାଚିତ ସଭାପତି ସମୀର ମହାନ୍ତି ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ହୋଇଛନ୍ତି । ଯଦିଓ କିଛି ଦିନ ପାଇଁ ସେ ସରକାରୀ ଚାକିରି କରିଥିଲେ, ତେବେ ରାଜନୀତି ପ୍ରତି ଦୁର୍ବଳତା ଯୋଗୁ ଚାକିରି ଛାଡ଼ିଥିଲେ । ଭୁବନେଶ୍ବରର ବହୁ ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ସମୀର ମହାନ୍ତି ବିଜେପିର ବିଭିନ୍ନ ପଦପଦବିରେ ସଫଳତାର ସହ ଦାୟିତ୍ବ ନିର୍ବାହ କରି ଶୀର୍ଷ ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜଣେ ଆଗ ଧାଡ଼ିର କର୍ମକର୍ତ୍ତା ଭାବେ ତାଙ୍କର ପରିଚୟ ରହିଛି । ଜଣେ ଶୃଙ୍ଖଳିତ ଓ ଉତ୍ସର୍ଗୀକୃତ ନେତା ଭାବେ ସମୀର ମହାନ୍ତିର ଦଳ ଭିତରେ ମଧ୍ୟ ବେଶ୍ ଗ୍ରହଣୀୟତା ରହିଛି ।

publive-image

ଚାକିରିରେ ଥିଲା ବେଳେ ସେ ବିଡିଏ କର୍ମଚାରୀ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେବ କିଛି ବର୍ଷ ପରେ ସେ ସରକାରୀ ଚାକିରି ଛାଡ଼ି ବିଜେପିରେ ସକ୍ରିୟ ହେଲେ। ପ୍ରଥମେ ଭୁବନେଶ୍ବର ଓ ପରେ ରାଜ୍ୟ ଶାଖାର ବିଭିନ୍ନ ପଦପଦବିରେ ସେ କାର୍ଯ୍ୟ କରିଛନ୍ତି । ଏହା ସହ ତାଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ବ ଦିଆଯାଇଥିଲା । ୨୦୦୩ ମସିହାରେ ସେ ପ୍ରଥମ ଥର ପାଇଁ ନିର୍ବାଚନୀ ରାଜନୀତିରେ ପାଦ ନେଇ  ବିଏମସିର କର୍ପୋରେଟର୍ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ବି ପରାଜିତ ହୋଇଥିଲେ । ବିଜେଡି-ବିଜେପି ମେଣ୍ଟ ସରକାରର ଦ୍ବିତୀୟ ପାଳିରେ ସମୀର ମହାନ୍ତି ଓଡ଼ିଶା ଖଦି ବୋର୍ଡର ସଭାପତି ଭାବେ ମନୋନୀତ ହୋଇଥିଲେ । ୨୦୧୬ ମସିହାରେ ବିଜେପିର ଉପସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ଗ୍ରହଣ କରିଥିଲେ।

୧୯୫୯ ମସିହା ମେ’ ମାସରେ ଜନ୍ମ ହୋଇଥିବା ସମୀର ମହାନ୍ତି ପୁରୁଣା ଭୁବନେଶ୍ବରର ବାସିନ୍ଦା । ଛାତ୍ର ଜୀବନରେ ସେ ଏବିଭିପିର ବିଭିନ୍ନ ପଦପଦବିରେ ରହିଥିଲେ । ୧୯୭୮-୭୯ ମସିହାରେ ଖୋର୍ଦ୍ଧା ପି ଏନ୍ କଲେଜର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ବିଭିନ୍ନ ଛାତ୍ର ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପିଏନ୍ କଲେଜରୁ ସ୍ନାତକ ଶିକ୍ଷା ପରେ ସେ ବିଶ୍ବବିଦ୍ୟାଳୟ ଆଇନ୍ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ।

publive-image

ସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି ହେଲା ପରେ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଯାଇଛି । ଶ୍ରୀସମୀର ମହାନ୍ତିଙ୍କ ନେତୃତ୍ବରେ ଦଳ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ । ଦୀର୍ଘ ୧୬ ବର୍ଷ ପରେ ରାଜ୍ୟ ବିଜେପି ରାଜ୍ୟ ସଭାପତି ଭାବେ ପାଇଛି ଜଣେ ଉପକୂଳ ନେତାଙ୍କୁ ।  ବାଣ, ବାଜା ରୋଷଣୀ ରେ ସମୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆନୁଷ୍ଠାନିକ ଭାବେ ଦାୟିତ୍ବ ହସ୍ତାନ୍ତର କରିଥିଲେ ବସନ୍ତ ପଣ୍ଡା ।

ବିଦାୟୀ ସଭାପତି ବସନ୍ତ ପଣ୍ଡା ତାଙ୍କ ଅଭି ଭାଷଣରେ କହିଥିଲେ, ତାଙ୍କ କାର୍ଯ୍ୟକାଳରେ ସେ ସମସ୍ତଙ୍କ ଠାରୁ ସହଯୋଗ ପାଇଛନ୍ତି । ନୂଆ ସଭାପତିଙ୍କୁ ସମସ୍ତେ ସହଯୋଗ କରିବେ ବୋଲି ସେ ଆଶା କରିଥିଲେ । ଏହି ଅବସରରେ ଦଳର ତୁଙ୍ଗ ନେତୃତ୍ୱ ମାନେ ସମୀରଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।