ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର : କହିଲେ, ଭୁଲରେ ବାହାରିଯାଇଥିଲା ରାହୁଲଙ୍କ ନାଁ

33

କନକ ବ୍ୟୁରୋ : ନିଜେ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଦୁଇ ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜୋତାରେ ମାର ବୋଲି ସମ୍ବିତ ପାତ୍ର କହିଥିଲେ । ତେବେ କଂଗ୍ରେସର କଡା ବିରୋଧ ପରେ ସମ୍ବିତ କ୍ଷମା ମାଗିଛନ୍ତି । ଏହାସହ ନିଜ ସଫେଇରେ ସେ କହିଛନ୍ତି, ବିଶ୍ୱାସଘାତୀଙ୍କୁ ଜୋତାରେ ମାର ବୋଲି କହୁଥିବା ବେଳେ ଭୁଲରେ ମୁହଁରୁ ରାହୁଲ ଗାନ୍ଧୀଙ୍କୁ ଜୋତାରେ ମାର ବୋଲି ବାହାରିଯାଇଥିଲା । ତେବେ କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ଏଭଳି ଶଦ୍ଦ ବାହାରିଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି ।

କିନ୍ତୁ କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔରଙ୍ଗଜେବ କହିବା ଠିକ୍ ନଥିଲା । ୱରଙ୍ଗଜେବ ଓ ରକ୍ତର ଦଲାଲି ବୋଲିି ଦେଇଥିବା ବୟାନ ଉପରେ କଂଗ୍ରେସ ମଧ୍ୟ କ୍ଷମା ମାଗୁ ବୋଲି ସମ୍ବିତ କହିଛନ୍ତି । ସେହି ସମୟରେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ଔପଚାରିକ ଭାବେ ସମ୍ବିତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ଗୁରୁବାର ଦିନ ଜାତୀୟ ଗଣମାଧ୍ୟମ ‘ଆଜ୍ ତକ୍ର ‘ହଲ୍ଲା ବୋଲ’ କାର୍ଯ୍ୟକ୍ରମରେ ସର୍ଜିକାଲ ଷ୍ଟ୍ରାଇକର ଆଲୋଚନା ଚାଲିଥିବା ବେଳେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହି ବିବାଦୀୟ ବୟାନ ଦେଇଥିଲେ । ଯାହା ପରବର୍ତୀ ସମୟରେ ରାଜନୈତିକ ମାହୋଲରେ ଝଡ ସୃଷ୍ଟି କରିଥିଲା ।