‘ହାତ ଛାଡ଼ିଲେ ସାଲେପୁର ବିଧାୟକ ! କଂଗ୍ରେସ ଅଧ୍ୟକ୍ଷଙ୍କୁ ଇସ୍ତଫାପତ୍ର ପଠାଇଲେ ପ୍ରକାଶ ବେହେରା

295

କନକ ବ୍ୟୁରୋ : ‘ହାତ’ ଛାଡ଼ିଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ପ୍ରକାଶ । କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ସାଲେପୁର ବିଧାୟକ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଲେ ପ୍ରକାଶ । ଦଳରେ ଅଣଦେଖା କରାଯାଇଥିବା ନେଇ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ପ୍ରକାଶ ବେହେରା । ତେବେ ଇସ୍ତଫା ଦେବାପରେ ସଦ୍ୟ କଂଗ୍ରେସ ଛାଡ଼ିଥିବା ପ୍ରକାଶ ବେହେରା କେଉଁ ଦଳକୁ ଯିବେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ।

ଅନେକ କଳ୍ପନା ଜଳ୍ପନାର ଅନ୍ତ କରି କଂଗ୍ରେସର ହାତ ଛାଡ଼ିଲେ ପ୍ରକାଶ ବେହେରା । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରକାଶ ବେହେରା କେଉଁ ଦଳକୁ ଯିବେ ସେନେଇ ଦ୍ୱଦ୍ୱ ଲାଗିରହିଥିଲା । ଇସ୍ତଫା ଦେବାପରେ ବି ପ୍ରକାଶ କେଉଁ ଦଳକୁ ଯିବେ ସେନେଇ ପ୍ରହେଳିକା ସୃ୍ଷ୍ଟି ହୋଇଛି । ସୂଚନାଯୋଗ୍ୟ କଟକ ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର ନିର୍ବାଚନ ମଣ୍ଡଳୀ ଭାବେ ସାଲେପୁର ୨୦୧୪ରେ କଂଗ୍ରେସ ଖାତାକୁ ଯାଇଥିଲା ।  ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପରାସ୍ତ କରି ନିଜର  ପତିଆରା ଦେଖାଇଥିଲେ ପ୍ରକାଶ । କିନ୍ତୁ କାର୍ଯ୍ୟକାଳର ଶେଷ ଦୁଇ ବର୍ଷ, ବିଶେଷକରି ୨୦୧୭-୧୮ ପରଠାରୁ ପ୍ରକାଶଙ୍କ ହାବଭାବ ପୁଣି ଥରେ ତାଙ୍କୁ ରାଜନୀତିରେ ଚର୍ଚ୍ଚାକୁ ଆଣିଥିଲା ।

ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ପୋଷ୍ଟର ବ୍ୟାନରରେ କଂଗ୍ରେସ ପତାକା ବ୍ୟବହାର କରି ନଥିଲେ । ପ୍ରକାଶ କେବଳ ନିଜ ଫଟୋ ବ୍ୟବହାର କରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପ୍ରକାଶଙ୍କ କାର୍ଯ୍ୟକ୍ରମରେ କେତେକ ରାଜ୍ୟ ନେତାଙ୍କୁ ଦେଖିବାକୁ ମିଳି ନଥିଲା । ଏଭଳି ସ୍ଥିତିରେ ପ୍ରକାଶ ବିଜେଡିକୁ ଡେଉଁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ବିଶ୍ୱସ୍ତ ସୂଚନା ଅନୁସାରେ ଜାଣିବାକୁ ମିଳିଛି ପ୍ରକାଶ ବେହେରା ପଦ୍ମ ପୋଖରୀରେ ବୁଡ଼ ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି  ।ବିଜେଡ଼ିରୁ ଟିକେଟ ମିଳିବା ସମ୍ଭାବନା କମ୍ ଥିବାରୁ ପଦ୍ମ ଧରିପାରନ୍ତି ପ୍ରକାଶ ବେହେରା ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ବିଜେପିର ଶୀର୍ଷ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ପ୍ରକାଶ ବେହେରା । ତେବେ ଆଗକୁ ଦେଖିବାକୁ ବାକି ରହିଲା ପ୍ରକାଶ ବେହେରା କେଉଁ ଦଳରେ ଯୋଗଦେବେ ।