ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲା : ପ୍ରଡକ୍ସନ୍ ୟୁନିଟକୁ ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍

359

କନକ ବ୍ୟୁରୋ : ଗଣେଶ ପୂଜାରେ ମୁକ୍ତିଲାଭ ଅପେକ୍ଷାରେ ଥିବା ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ଫିଲ୍ମର ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗିଛି ପୋଲିସ । ଥାନାରେ ହାଜର ହେବା ପରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବ । ପୋଷ୍ଟରଟି ସଂପୃକ୍ତ ପ୍ରଡକ୍ସନ ୟୁନିଟ କରିଛନ୍ତି ନା ନାହିଁ ସେ ପଚରାଉଚରା କରାଯିବ । ସେହିଭଳି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ବି ନୋଟିସ ଜାରି କରାଯାଇଛି । କେଉଁ ସୁତ୍ରରୁ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି ।

ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାକୁ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଥିଲା । ପୋଷ୍ଟରର ପପୁ ମହିଳାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା । ଏହି ପୋଷ୍ଟରକୁ ନେଇ ବିବାଦ ପରେ ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାର ପ୍ରଯୋଜନା ସଂସ୍ଥା ସାର୍ଥକ ମୁଜିକ ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଥିଲା । ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍‌ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଥିଲା । ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଥିଲା ।

ଏହାପରେ କନକ ନ୍ୟୁଜରେ ସଫେଇ ରଖିଥିଲେ କମେଡି କିଙ୍ଗ ପପୁ ପମପମ । ସେ କହିଥିଲେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି । ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଥିଲେ । ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଥିଲେ ପପୁ ।