ପାନେ ପାଇଲେ ରୋମିଓ : ପ୍ରଥମେ ଲୋକେ ପିଟିଲେ, ପରେ ଯୁବତୀ ଚପଲରେ ସେକିଲେ

43

କନକ ବ୍ୟୁରୋ : ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ପିଛା କରିବା ଓ ବାଟ ସାରା ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ଜଣେ ରୋମିଓ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯୁବତୀଙ୍କୁ ଫସାଇବାକୁ ଯାଇ ଶେଷରେ ନିଜେ ଫସି ଯାଇଛି । ପ୍ରଥମେ ଯାହା ଲୋକେ ତ ପିଟିଲେ ପିଟିଲେ, ଶେଷକୁ ଯୁବତୀ ଜଣଙ୍କ ବି ଚପଲରେ ସେକି ଦେଇଗଲେ। ବିଚରା ରୋମିଓ ଯୁବତୀଙ୍କ ଗୋଡ଼ ଧରି କ୍ଷମା ମାଗିବା ସହ କାନ ଧରି ଉଠ୍‌ବସ୍‌ ହେବା ପରେ ଛାଡ଼ ପାଇଲା । ଘଟଣାଟି ସ୍ଥାନୀୟ ଘାଟିକିଆ ନିକଟ ଖଣ୍ଡଗିରିବାରୀ ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି ।

ଗତକାଲି ଅପରାହ୍‌ଣ ପ୍ରାୟ ସାଢ଼େ ୧ଟା ଗତକାଲି ସମୟରେ ଏହି ଘଟଣା ଘଟିଛି । ସ୍ଥାନୀୟ କୋଳଥିଆ ଜୟଦେବ ବାଟିକା ରାସ୍ତାରେ ଆମ୍ରି ହସ୍ପିଟାଲ ନିକଟରେ ସିଟି ବସ୍‌ରୁ ଓହ୍ଲାଇ ଜଣେ ଯୁବତୀ ଘାଟିକିଆ ରାସ୍ତାରେ ଘରକୁ ଯାଉଥିଲେ । ଚାଲି ଚାଲି ଯାଉଥିବାବେଳେ ଏକ ବାଇକ୍‌ରେ ଜଣେ ଯୁବକ ତାଙ୍କୁ ପିଛା କରିଥିଲା । କଲେଜ ଛାତ୍ର ଭଳି ଜଣାପଡ଼ୁଥିବା ଯୁବକ ଜଣଙ୍କ ଯୁବତୀଙ୍କ ପଛେ ପଛେ ବାଇକ୍‌ ଚଳାଉଥିଲେ । ଯୁବକଟି ତାଙ୍କୁ ପିଛା କରୁଛି ବୋଲି ଯୁବତୀ ବୁଝି ଯାଇଥିଲେ । ତେବେ ସ୍ଥାନୀୟ ଝିଅ ହୋଇଥିବାରୁ ସେ ଡରି ନଥିଲେ । ଯୁବକ ଜଣଙ୍କ କିଛି ବାଟ ବାଇକ୍‌କୁ ନେଇ ଆଗରେ ରଖିବା ସହ ଠିଆ ହୋଇ ରାସ୍ତା କଡ଼ରେ ପରିସ୍ରା କଲେ । ଏତିକିବେଳେ ଯୁବକଟି ଯୁବତୀଙ୍କୁ ଲକ୍ଷ୍ୟ କରି କିଛି କହିଲେ ।

ଯୁବତୀଜଣଙ୍କ ପଛକୁ ଫେରି ଚାହିଁବା ପରେ ପୁଣି ଆଗକୁ ବଢ଼ିଲେ । ଯୁବତୀଜଣଙ୍କ ଫସିଲେ ଭାବି ଯୁବକଟି ତାଙ୍କ ପିଛା କରିବାକୁ ଲାଗିଲା । କିଛି ବାଟ ପରେ ଗୋଟେ ଘର ପଡ଼ିଲା ଓ ଯୁବତୀ ଜଣଙ୍କ ଉକ୍ତ ଘରର ଗେଟ୍‌ ନିକଟରେ ଅଟକିଗଲେ । ରୋମିଓ ବି ସେଠି ବାଇକ୍‌ ଅଟକାଇଲେ। ମାତ୍ର ସେଇଟା ଯେ ଯୁବତୀଙ୍କଘର ତାହା ସେ ଜାଣି ପାରି ନଥିଲେ । ହଠାତ୍‌ ଯୁବତୀ ଜଣଙ୍କ ରୋମିଓ ଉପରେ ହମ୍‌ଲା ଆରମ୍ଭ କରିଦେଲେ । ଢୋ ଢୋ ଚାପୁଡ଼ା ମାରିବା ସହ ବଡ଼ ପାଟିରେ ଗାଳି କଲେ । ତାଙ୍କ ପାଟି ଶୁଣି ଘର ଭିତରୁ ତାଙ୍କ ପରିବାର ଲୋକେ ବାହାରି ଆସିଲେ ଓ ନିକଟସ୍ଥ ବିଲରେ କାମ କରୁଥିବା କିଛି ଲୋକ ମଧ୍ୟ ଘଟଣାସ୍ଥଳକୁ ଧାଇଁଆସିଲେ । ଯୁବତୀ ଜଣଙ୍କ ଚପଲରେ ପିଟି ଚାଲିଥିଲେ । ଏହା ପରେ ଯିଏ ଯେମିତି ପାରିଲା, ପିଟିଲା ଓ ଗାଳିକଲା । ଲୋକେ ପୁଲିସକୁ ଡାକିବାକୁ ବିସିଥିବାବେଳେ ବିଚରା ରୋମିଓ କାନଧରି ଉଠବସ୍‌ ହୋଇ ହୋଇ ଛାଡ଼ିଦେବାକୁ ନେହୁରା ହୋଇଥିଲା । ଯୁବତୀ ଜଣଙ୍କ ମଧ୍ୟ ପୁଲିସକୁ ନ ଡାକିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।