ରାସ୍ତା ଅପେକ୍ଷାରେ ସୀମାନ୍ତବର୍ତ୍ତୀ ଗାଁ : ଗାଁକୁ ଯିବା ପାଇଁ ୫ କିଲୋମିଟର ପାହାଡି ରାସ୍ତା ଚାଲୁଛନ୍ତି ଗ୍ରାମବାସୀ, ପଦ୍ମପୁର ଉପଖଣ୍ଡ ଲୁହୁରାକୋଟ ଗାଁ ବିକାଶର ଗତିରୋଧ କରୁଛି ୮ଟି ନାଳ 

334
କନକ ବ୍ୟୁରୋ : ସରକାର ଗ୍ରାମାଂଚଳ ଓ ଗ୍ରାମବାସୀଙ୍କ ଅଗ୍ରଗତି ନିମନ୍ତେ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି । ହେଲେ ସ୍ୱାଧୀତାର ୭୨ ବର୍ଷ ପରେ ମଧ୍ୟ ଏମିତି କିଛି ଗ୍ରାମ ରହିଯାଇଛି, ଯେଉଁଠି କି ଆଜି ପର୍ଯ୍ୟନ୍ତ ଗମନାଗମନର ସୁବିଧା ନ ଥିବାରୁ ଗାଁରୁ ବାହାରିବା ପାଇଁ ଗ୍ରାମବାସୀଙ୍କୁ ସଂଘର୍ଷ କରିବାକୁ ପଡୁଛି  । ଏଭଳି ଏକ ଗ୍ରାମ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡସ୍ଥ ପାଇକମାଲ ବ୍ଲକ ଲୁହୁରାକୋଟ ଗ୍ରାମରେ  ।
ପକ୍କ। ରାସ୍ତା ଅପେକ୍ଷାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲୁହୁରାକୋଟ ଗାଁ । ଓଡିଶା ଏବଂ ଛତିଶଗଡ ସୀମାରେ ଥିବା ଏହି ଉପାନ୍ତ ଅଂଚଳକୁ ଚାରି ଆଡୁ ପାହାଡ ଏବଂ ନଦୀ ନାଳ ଘେରି ରହିଛି । ମାଓ ପ୍ରବଣ ଲୁହୁରାକୋଟ ଗାଁ ପ୍ରତି ପ୍ରଶାସନର ନଜର ନଥିବା ଅଭିଯୋଗ ହୋଇଛି । ଗାଁକୁ ରାସ୍ତାଟିଏ ନଥିବାରୁ ଲୋକେ ଜଙ୍ଗଲ ଭିତରରେ ପଥୁରିଆ ରାସ୍ତା ଓ ନଦୀ ନାଳ ପାରିହୋଉ ଯା’ଆସ କରୁଛନ୍ତି ଗ୍ରାମବାସୀ ।

ଅନେକ ସମୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଲୋକେ ନିକଟରେ ଥିବା  ଅଙ୍ଗନଦୀ ପାରି ହୋଇଥାନ୍ତି । ହେଲେ ଏବେ ବର୍ଷା ଦିନ ହୋଇଥିବାରୁ ଲୋକ ବାଧ୍ୟ ହୋଇ ୫ କିଲୋମିଟର ପାହାଡି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଯଦି ଜଣେ ଅଜଣା ବ୍ୟକ୍ତି ଲୁହୁରାକୋଟ ଯିବା ପାଇଁ ଇଚ୍ଛା କରିବ ତେବେ ତାଙ୍କୁ ପ୍ରାୟ ୫ଘଂଟା ସମୟ ଲାଗିଯାଇପାରେ । ରାସ୍ତା ଗୋଟିଏ ପାଇଁ ଲୁହୁରାକୋଟ ଗ୍ରାମବାସୀ ଅନେକ ଥର ନେତାଙ୍କଠାରୁ ଆରମ୍ଭ କରି ଅଧିକାରୀମାନଙ୍କ ଦ୍ୱାରସ୍ଥ ହୋଇ ଗୁହାରୀ ଶୁଣାଇଛନ୍ତି  । ହେଲେ କୌଣସି ସୁଫଳ ମିଳିନାହିଁ ।

ସେପଟେ ପଦ୍ମପୁର ଉପଜିଲ୍ଲାପାଳ କହିଛନ୍ତି ଏ ଲୁହୁରାକୋଟ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି  । ଛତିଶଗଡ ସୀମାନ୍ତରେ ଥିବା ଏହି ମାଓପ୍ରବଣ ଓ ଦୁର୍ଗମ ଗ୍ରାମକୁ କେବେ ପଡିବ ପ୍ରଶାସନର ପାଦ ଏବଂ କେବେ ଦୂରହେଉଛି ଲୁହୁରାକୋଟ ଗ୍ରାମବାସୀଙ୍କ ଏହି ଦୀର୍ଘ ଦିନର ସମସ୍ୟା  । ତାକୁ ହିଁ ଅପେକ୍ଷା ।