ଯେଉଁମାନେ ସମାଲୋଚନା କରୁଛନ୍ତି, ତାଙ୍କୁ ସ୍ୱାଗତ କରୁଛି, ଏହା ଅଧିକ ସଚେତନ କରିବ! ନାମାଙ୍କନ ଭରିବା ପରେ ସୌମ୍ୟରଂଜନଙ୍କ ପ୍ରତିକ୍ରିୟା

37

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜୁ ଜନତା ଦଳର ତିନି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହଛନ୍ତି, ମୋର ବିଶ୍ୱାସ ବିଜୁ ଜନତା ଦଳର ପ୍ରାର୍ଥୀ କେନ୍ଦ୍ରରେ ଓଡିଶାର ସ୍ୱାର୍ଥ ସମ୍ପର୍କିତ ଦାବି ଉପସ୍ଥାପନ କରିବେ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ ରାଜ୍ୟର ଲଢେଇ ଜାରି ରହିବ ବୋଲି ପୁଣି ଦୋହରାଇଛନ୍ତି ନବୀନ । ଆଜି ପ୍ରଥମେ ପ୍ରଶାନ୍ତ ନନ୍ଦ ନାମାଙ୍କନ ଦାଖଲ କରିଥିଲେ । ତାଙ୍କ ପରେ ପରେ ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ନାମାଙ୍କନ ଦାଖଲ କରିଛନ୍ତି । ୨ ସେଟ୍ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩ ପ୍ରାର୍ଥୀ । ନାମାଙ୍କନ ଦାଖଲ ସମୟରେ ନବୀନ ପଟ୍ଟନାୟକ ଓ ଅନ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ ।

NABIN PATTANAIK

ପ୍ରଥମେ ନାମାଙ୍କନ ଦାଖଲ କରିଥିବେ ପ୍ରଶାନ୍ତ ନନ୍ଦ କହିଛନ୍ତି, ୬/୭ ଦିନ ତଳେ ସମସ୍ତ ସାଂସଦଙ୍କୁ ଡାକି କେଉଁ ପ୍ରସଙ୍ଗ ସଂସଦରେ ରଖିବା କଥା ଓ କେଉଁ ପ୍ରସଙ୍ଗ ଉଠାଇବା କଥା ସେନେଇ ବିସ୍ତୃତ ଭାବେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ସେ ପୋଲାଭରମ କଥା ହେଉ, ମହାନଦୀ କଥା ହେଉ ବା ରେଲୱେ ଜୋନ୍ ହେଉ ବା କେନ୍ଦ୍ରର ଅବହଳା କଥା ହେଉ ସବୁ ବିଷୟରେ ପୁଙ୍ଗାନୁପୁଙ୍ଖ ଆଲୋଚନା ହେଉଛି, ତାହା ହିଁ ବିଷୟ ବସ୍ତୁ ରହିବ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ପ୍ରଶାନ୍ତ ନନ୍ଦ କହିଥିଲେ, ଆମେ ଦାବି କରିଛୁ, ଦାବି କରିବୁ ଏବଂ ଦାବି କରୁଥିବୁ । ମୂଳ କଥା ହେଉଛି, ଆମେ ଯେଉଁ କଥା କହୁଛୁ, ଆମେ ଆମକୁ ଠିକ୍ କହୁଛୁ । ବିଶ୍ୱାସର ସହ କହୁଛୁ, ବାରମ୍ବାର କହୁଛୁ, ତା’ହେଲେ ଦିନେ ନା ଦିନେ ଏଫଳ ଫଳିବ ।

ସେହିଭଳି ନାମାଙ୍କନ ଦାଖଲ ପରେ ସୌମ୍ୟରଂଜନ ପଟ୍ଟନାୟକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ, ହିନ୍ଦୀରେ ଗୋଟେ କଥା ଅଛି, ନିନ୍ଦୁକମାନଙ୍କୁ ସବୁବେଳେ ପାଖରେ ରଖିବ । କାହିଁକି ନା ଏମାନେ ବିନା ପାଣି ସାବୁନରେ ସ୍ୱଭାବକୁ ନିର୍ମଳ କରିବେ । ତେଣୁ ଯେଉଁମାନେ ସମାଲୋଚନା କରୁଛନ୍ତି, ତାଙ୍କୁ ମୁଁ ସ୍ୱାଗତ କରୁଛି । ତାଙ୍କର ସମାଲୋଚନା ମୋତେ ଅଧିକ ସଚେତନ କରିବ । ଅନେକ ସମୟରେ ସମାଲୋଚନା ବିନା କାରଣରେ କରାଯାଏ । ଯଦି ଠିକ୍ କାରଣ ଥିବ ତେବେ ମୋତେ ନିଜକୁ ସଚେତନ ହେବା ସହ ନିଜକୁ ସୁଧାରିବା ପାଇଁ ସାହାଯ୍ୟ କରିବ । ସେଥିପାଇଁ ବ୍ୟସ୍ତ ହେବାର କିଛିି ନାହିଁ ।

soumya ranjan patanaik meet naveen patanaik

ଭାଷା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ, ଭାଷା ଏକ ସମୁହ ବ୍ୟାପାର, ସମସ୍ତଙ୍କ କାମ । ସାରା ଓଡିଶାର ଲୋକମାନେ, ବିଭିନ୍ନ ବର୍ଗର ଲୋକେ ନଚାହିଁଲେ ହେବନାହିଁ । ଜଣେ ବ୍ୟକ୍ତି ଚାହିଁଲେ ଏହା ସମ୍ଭବପର ନୁହେଁ । ଆମେ ସମସ୍ତେ ଉଦ୍ୟମ କରିବା ଦରକାର ଭାଷା କିପରି ଅଧିକ ବ୍ୟବହାର ହେବ ।

ରାଜ୍ୟସଭାରେ କେଉଁ ପ୍ରସଙ୍ଗ ଉଠାଇବେ ସେନଇ ଏକ ପ୍ରଶ୍ନର ଜବାବ ରଖି ସୈାମ୍ୟରଂଜନ ପଟ୍ଟନାୟକ କହିଥିଲେ, ମୁଁ ବହୁ ବର୍ଷ ତଳେ ଲୋକସଭାକୁ ଯାଇଥିଲି ହେଲେ ସେହି ସମୟରେ ବିଶେଷ ସମୟ ପାଇନଥିଲି । ଏବେ ମୋତେ ୬ ବର୍ଷ କାଳ ସମୟ ମିଳିବ । ତେଣୁ ସ୍ୱାଭାବିକ ଭାବେ ଓଡିଶାର ଦୀର୍ଘସୂତ୍ରୀ ବିକାଶ ଅର୍ଥାତ୍ ଲଙ୍ଗଟର୍ମ ଡେଭଲପମେଂଟ ଯାହା କୁହାଯାଉଛି ସେହି ଦିଗକୁ ଧ୍ୟାନରେ ରଖି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆର୍କଷଣ କରିବାକୁ ଉଦ୍ୟମ କରିବି । ଦୀର୍ଘଦିନର ଖବରକାଗଜ ଲୋକ ହିସାବରେ, ଓଡିଶାକୁ ଭଲ ପାଉଥିବା ଜଣେ ବ୍ୟକ୍ତି ଭାବେ, ମୋର ବିବେକ ବୁଦ୍ଧି ଯାହା କହୁଛି, ଓଡିଶାର ସ୍ୱାର୍ଥ ସଂପର୍କରେ ସେ ବାବଦରେ ଅନ୍ତତଃ ସ୍ୱର ତୋ ଉତ୍ତୋଳନ କରିବି ।

ବୁଧବାର ଦିନ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ତିର୍କି, ଅନଙ୍ଗ ଉଦୟ ସିଂଦେଓ ଏବଂ ସ୍ୱାଧୀନ ସଦସ୍ୟ ଏ.ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏପ୍ରିଲ ୩ ତାରିଖରେ ଓଡିଶାର ଏହି ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା ନିର୍ବାଚନ । ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାର୍ଚ୍ଚ ୧୨ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିପରି ୧୩ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଏବଂ ୧୫ତାରିଖ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି ।