କମ୍ ହେବ ନାହିଁ ଆପଣଙ୍କ EMI ! ରେପୋହାର ଅପରିବର୍ତ୍ତିତ ରଖିଲା ଆରବିଆଇ

23

କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋହାରକୁ ୬ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଗତ ଦୁଇଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପମିଆଦୀ ଋଣ ଆଣନ୍ତି,  ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ଶସ୍ତା ହେବାର ଆଶା ମଉଳି ଯାଇଛି । ସେହିପରି ରିଭର୍ସ ରେପୋହାର ଅର୍ଥାତ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ଋଣ ନିଏ ତାହା ୫.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଜାନୁୟାରୀ-ମାର୍ଚ୍ଚ ତିନିମାସ ପାଇଁ ନିଜର ମୁଦ୍ରାସ୍ପୀତି ପୂର୍ବାନୁମାନକୁ ୫.୧ ପ୍ରତିଶତକୁ ବୃଦ୍ଧି କରିଛି । ବଢିଚାଲିଥିବା ତେଲଦର ଓ ଫସଲର ବର୍ଦ୍ଧିତ ଏମଏସପି ପରିପ୍ରେକ୍ଷୀରେ ମୁଦ୍ରାସ୍ପୀତି ଲକ୍ଷ୍ୟକୁ ବଢାଇଦିଆଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଛନ୍ତି । ସେ କହିଛନ୍ତି, ଯେ ଆଗାମୀ ମାସ ଗୁଡ଼ିକରେ ମୁଦ୍ରାସ୍ପୀତି ହାର ଆହୁରି ବଢିବାର ସମ୍ଭାବନା ରହିଛି, ଏଣୁ ଏ ନେଇ ସତର୍କତା ଅବଲମ୍ବନ କରାଯିବା ଜରୁରୀ । ଆହୁରି ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୬.୬ ପ୍ରତିଶତ ରହିବା ଅଟକଳ କରିଛି ରିଜର୍ଭ ବ୍ୟାଙ୍କ ।