ବଢିବ ଏଟିଏମର ସୁରକ୍ଷା ବ୍ୟବସ୍ଥା : କାନ୍ଥ ଓ ଚଟାଣ ସହ ଏଟିଏମ୍ ଲଗାଇବା ପାଇଁ ଆରବିଆଇର ନିର୍ଦ୍ଦେଶ, ଇ-ନିରୀକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ

111

ଏଟିିଏମରୁ ହୋଇପାରିବନି ଟଙ୍କା ଚୋରି । ବଢ଼ିବ ଏଟିଏମର ସୁରକ୍ଷା ବ୍ୟବସ୍ଥା । ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ କାନ୍ଥ, ଚଟାଣ ସହ ଲାଗି ରହିବ ଏଟିଏମ୍ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି କାମ ଶେଷ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ସିସିଟିଭି ନିରୀକ୍ଷଣ ଓ ଚବିଶ ଘଂଟା ନିରାପତ୍ତା ବ୍ୟବସ୍ଥା ରହୁଥିବା ଯଥା ବିମାନ ବନ୍ଦର ଭଳି ସ୍ଥାନରେ ଥିବା ଏଟିଏମଗୁଡ଼ିକରେ ଏଭଳି ପରିବର୍ତନ କରିବାର ଆବଶ୍ୟକତା ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି । ୨୦୧୬ରେ ଏଟିଏମ୍ ସୁରକ୍ଷା ସହ ଜଡ଼ିତ ଥିବା ସମସ୍ତ ବିଷୟର ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ ହୋଇଥିଲା ।

ମୁଦ୍ରା ସ୍ଥାନାନ୍ତର ଉପରେ ଗଠନ କରାଯାଇଥିବା କମିଟି ଯେଉଁ ସୁପାରିସ ପ୍ରଦାନ କରିଥିଲା ତାହାକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ଏହି ନିର୍ଦ୍ଦେଶ ଦେଇଛି । ଏଟିଏମର ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ବ୍ୟାପକ ଇ-ନିରୀକ୍ଷଣ ବ୍ୟବସ୍ଥା ବିକଶିତ କରିବାକୁ ସବୁ ବ୍ୟାଙ୍କ ଗୁଡ଼ିକୁକୁହାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏଟିଏମରୁ ଠିକ୍ ସମୟରେ ଆଲର୍ଟ ଶୀଘ୍ର ପ୍ରତିକ୍ରିୟା ମିଳିପାରିବ । ଏଟିଏମରେ ନଗଦ ଟଙ୍କା ଭର୍ତି କରିବା ପାଇଁ ଡ଼ିଜିଟାଲ ୱାନଟାଇମ୍ କମ୍ବିନେସନ ବ୍ୟବହାର କରିବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଟିଏମ୍ ପରିଚାଳନାକୁ ନେଇ ରହିଥିବା ସବୁପ୍ରକାର ବିପଦକୁ ଦୂର କରିବା ଏବଂ ଏଟିଏମ୍ ସୁରକ୍ଷା ନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ସବୁ ପଦକ୍ଷେପ ଘୋଷଣା କରିଛନ୍ତି ।