ଗାଁକୁ ଯିବାକୁ ରାସ୍ତା ନାହିଁ, ନଦୀ ପାର ପାଇଁ ପୋଲ ନାହିଁ : ପୁରୀର ମଧୁବନ ସାହିକୁ ଯିବା ପାଇଁ ବାଉଁଶ ଭାରା ପାଲଟିଛି ଏକମାତ୍ର ସାହାରା

62

କନକ ବ୍ୟୁରୋ : ଗମନାଗମନାର ସୁବିଧା ପାଇଁ ଅନେକ ଯୋଜନା କରିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ସେ ସବୁ ଯୋଜନା ଏବେ ବି ଅନେକ ସ୍ଥାନକୁ ଛୁଇଁ ପାରିନି । ଏବେ ବି ଯା’ଆସ ପାଇଁ ରାସ୍ତା ନଥିବା ବେଳେ ବାଉଁଶ ଭାରା ପାଲଟିଛି ଏକ ମାତ୍ର ସାହାରା । ଏ କେଉଁ ଆଦିବାସି ଅଧ୍ୟୁଷିତ ଉପାନ୍ତ ଅଂଚଳର ନୁହେଁ ଉପକୂଳ ପୁରୀ ଜିଲ୍ଲା ମଧୁବନ ସାହିର କଥା ।

ଗାଁକୁ ଯିବାକୁ ରାସ୍ତା ନାହିଁ । ନଦୀ ପାର ପାଇଁ ପୋଲ ନାହିଁ । ବର୍ଷକ ୧୨ ମାସ ନଦୀ ପାର ପାଇଁ ଏକ ମାତ୍ର ଭରସା ଏହି ବାଉଁଶ ଭାରା ।  ପ୍ରତିଦିନ ଏମତି ରତ୍ନଚିରା ନଦୀ ପାର ହୋଇ ଗାଁକୁ ଯିବା ଆସିବା କରୁଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ମଧୁବନ ସାହିର ଲୋକ । ଗାଁରେ ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଜରୁରୀ ସେବା ପହଂଚିପାରୁ ନଥିବା ବେଳେ ଏହି ଭାରା ଦେଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ ।

ନିର୍ବାଚନ ସମୟରେ ରତ୍ନଚିରା ନଦୀ ଉପରେ ପୋଲ ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି ଜନ ପ୍ରତିନିଧି । ଆଉ ଭୋଟ ସରିଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଏ । ଅନ୍ୟପଟେ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରି ରତ୍ନ ନଦୀ ଉପରେ ପୋଲ ନିର୍ମାଣ କରିବା ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ । ଗ୍ରାମାଂଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁ ଦିର୍ଘଦିନ ହେବ ଅବହେଳିତ ହୋଇ ଅଛନ୍ତି ମଧୁବନ ସାହି ଗ୍ରାମବାସୀ ।