ଆବଶ୍ୟକତା ପାଇଁ ଉଦ୍ଭାବନ . . . କୁକୁଡ଼ା ଅଣ୍ଡାରୁ ଛୁଆ ଫୁଟାଯନ୍ତ୍ର ଉଦ୍ଭାବନ କଲେ ଖୋର୍ଦ୍ଧାର ରାକେଶ

1,385

କନକ ବ୍ୟୁରୋ : ଆବଶ୍ୟକତା ପାଇଁ ଉଦ୍ଭାବନ । ମା’ର ପାଇଁ କୁକୁଡ଼ାରୁ ଅଣ୍ଡାଫୁଟା ଯନ୍ତ୍ର ଉଦ୍ଭାବନ କଲେ ଖୋର୍ଦ୍ଧାର ରାକେଶ କୁମାର ସ୍ୱାଇଁ  । ନିଶା ଆଗରେ ହାର ମାନିଲା ପ୍ରତିକୂଳ ପରିସ୍ଥିତି । ଅନେକ ପରୀକ୍ଷା ନିରୀକ୍ଷା କରି ଶେଷରେ ସଫଳ ହେଲେ । ମା’ର ରୋଗ ଭଲ କରିବାକୁ ସମ୍ପୂର୍ଣ୍ଣ ଦେଶୀ କୌଶଳରେ ଉଦ୍ଭାବନ କଲେ ଅଣ୍ଡାଫୁଟା ଯନ୍ତ୍ର ।  ତେବେ ତାଙ୍କର ଯନ୍ତ୍ର ଉଦ୍ଭାବନ ବିଷୟରେ ଜାଣି ବିନା ଉଷ୍ମାୟନରେ କିପରି ଅଣ୍ଡା ଫୁଟୁଛି ତାହା ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି । 

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଚଣ୍ଡିଆପାଲର ପ୍ରମୋଦ କୁମାର ସ୍ୱାଇଁଙ୍କ ପୁଅ ରାକେଶ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟିବେଳୁ କିଛି ନୂଆ କରିବାର ଆଶା ଥିଲା । ସବୁବେଳେ ନୂଆ ଉଦ୍ଭାବନ ପାଇଁ ପ୍ରୟୋଗ ଜାରି ରଖିଥିଲେ । ତାଙ୍କ ମା’ ଡାଇବେଟିସ୍ ରୋଗରେ ପୀଡ଼ିତ । ଆଉ ସେଥିପାଇଁ ଏକ ବିରଳ ଅଣ୍ଡାର ଆବଶ୍ୟକତା ଥିଲା । ହେଲେ ଆମ ରାଜ୍ୟରେ ସେପରି ଅଣ୍ଡା ମିଳିବା କଷ୍ଟକର । ବହୁତ ଖୋଜାଖୋଜି ପରେ ରାକେଶ  ଗୋଟିଏ ଅଣ୍ଡା ଯୋଗାଡ଼ କରିପାରିଥିଲେ । ଅଣ୍ଡା ମିଳିବା ପରେ ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଥିଲା । ଗୋଟିଏ ଥରରେ ଖାଇବା ଅପେକ୍ଷା କୁକୁଡ଼ା ଅଣ୍ଡାରୁ ଛୁଆଫୁଟା ଯନ୍ତ୍ର ଉଦ୍ଭାବନ କରିବା ପାଇଁ ସେ ଚିନ୍ତା କରିଥିଲେ । ପରିଶ୍ରମ ଆରମ୍ଭ କରିଦେଇଥିଲେ । ରାତି ରାତି ବସି ପରୀକ୍ଷା ନିରୀକ୍ଷା କରୁଥିଲେ । ଶେଷରେ ତାଙ୍କୁ ସଫଳତା ମିଳିଲା । 

ଅତି ସହଜରେ ତଥା ବଜାରରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା କିଛି ସରଞ୍ଜାମ ଯୋଗାଡ଼ କରି ସେ ସଫଳ ହୋଇପାରିଛନ୍ତି । ଏଥିପାଇଁ ଅଧିକ ଟଙ୍କା ମଧ୍ୟ ଦରକାର ପଡ଼ିନି ।  ବର୍ତ୍ତମାନ ସେ ତିଆରି କରିଥିବା ଯନ୍ତ୍ର ସାହାଯ୍ୟରେ ଅନେକ ଅଣ୍ଡା ଫୁଟାଇ ସାରିଲେଣି । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ତାଙ୍କ ଉଦ୍ଭାବନ ଲୋକଲୋଚନକୁ ଆସିପାରନ୍ତା ବୋଲି ପରିବାର ଲୋକ କହିଛନ୍ତି ।