ଭୂତ ନେଇଛି ଚାଷୀ ଋଣ : ମୃତ୍ୟୁର ୫ବର୍ଷ ପରେ ବି ଚାଷୀଙ୍କ ନାଁରେ ଉଠୁଛି ଋଣ ଟଙ୍କା, ରାଜକନିକା ସିକୋ କୃଷି ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ

481

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ସିକୋ ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ଦୁର୍ନୀତି । ଏହି ସମବାୟ ସମିତିରେ ୨୨ଶହ ଚାଷୀ ଥିବା ବେଳେ ୧୭ଶହ ଚାଷୀ ରୁଣ ନେଇଛନ୍ତି । ଚାଷୀମାନେ ସମବାୟ ସମିତିରୁ ପ୍ରାୟ ୪ କୋଟି ଟଙ୍କା ଋଣ ନେଇଛନ୍ତି । ଏହି ଋଣ ଭିତରୁ ଅଧିକାଂଶ ଋଣ ଚାଷୀଙ୍କ ଅଜାଣତରେ ହୋଇଛି । ଏପରିକି ମୃତ ଚାଷୀଙ୍କ ନାଁରେ ଉଠିଛି ଋଣ ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜକନିକା ବ୍ଲକ ସିକୋ ପ୍ରାଥମିକ କୃଷି ସମବାୟ ସମିତିରୁ । ମୃତ ଚାଷୀଙ୍କ ନାଁରେ ଋଣ ଉଠାଯାଇଥିବା ଅଭିଯୋଗ ହୋଇଛି । ବଳରାମ ନାୟକ ନାମକ ଜଣେ ଚାଷୀ ୫ବର୍ଷ ହେବ ମୃତ୍ୟୁ ବରଣ କରିଥିଲେ ବି ତାଙ୍କ ନାମରେ ଋଣ ଉଠାଯାଇଥିବା ଜଣାପଡ଼ିଛି । ସେହିଭଳି ରାସ ବିହାରି ସାହୁଙ୍କ ମୃତ୍ୟୁ ପରେ ବି ଟଙ୍କା ଉଠିଥିବା ଅଭିଯୋଗ ହୋଇଛି । ଆଉ ଏସବୁ ଦୁର୍ନୀତି ପଛରେ ସମବାୟ ସମିତିର ପୂର୍ବତନ ସମ୍ପଦକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

କେବଳ ମୃତ ଲୋକଙ୍କ ନାମରେ ଋଣ ଉଠିଛି ତା ନୁହେଁ ଆହୁରି ଏମିତି ଅନେକ ଚାଷୀ ଅଛନ୍ତି ଯେଉଁମାନଙ୍କ ଅଜାଣତାରେ ତାଙ୍କ ନାଁରେ ଲକ୍ଷାଧୀକ ଟଙ୍କାର ଋଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ବର୍ଷ ବର୍ଷ ଧରି ଚାଷିଙ୍କ ଋଣ ବହି ସମ୍ପାଦକ ନିଜ ପାଖରେ ରଖୁଥିଲେ । ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଳାପାଳ । ଘଟଣାର ସତ ଜାଣିବା ପାଇଁ ଏକ ଟିମ୍ ଗଠନ କରି ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ସମର୍ଥ ବର୍ମା ।

ଋଣ ନେଇନଥିବା ଗରିବ ଚାଷୀ କିଭଳି ଋଣ ସୁଝିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ତୁରନ୍ତ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ସହ ଚାଷୀଙ୍କୁ ନ୍ୟାୟ ମିଳିବା ଅବଶ୍ୟକ ।