କନକ ବ୍ୟୁରୋ : ଆରବସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ସକ୍ରିୟ ହେଉଛି । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ୍ ଲୋ-ପ୍ରେସରରେ ପରିଣତ ହେବା ସହ ପରବର୍ତୀ ୨୪ ଘଣ୍ଟାରେ ଅବପାତର ରୂପ ନେବ। ଏଥିସହ ୨୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ରହିବ। ପ୍ରଭାବରେ ୨୩ ତାରିଖଠାରୁ ଓଡ଼ିଶାରେ ପାଗରେ ପରିବର୍ତନ ଆସିବ ଏବଂ ୨୪ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଅକ୍ଟୋବର ୨୩ରୁ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ । ୨୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଯାହାକି ୨୭ ତାରିଖ ପର୍ଯ୍ୟନ୍ତ ଲାଗିରହିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ଦୀପାବଳି ଦିନ ବି ବର୍ଷା ଲାଗିରହିବାର ସମ୍ଭାବନା ରହିଛି ।